ଅନୁଗୋଳରେ ହେବ ୨ କୃଷିସେବା କେନ୍ଦ୍ର

ଅନୁଗୋଳ ଅଫିସ, ୧୧।୩: କୃଷି ଓ କୃଷକଙ୍କ ବିକାଶ ଲାଗି ଅନୁଗୋଳରେ ସ୍ଥାପନ ହେବ ୨ଟି କୃଷି ସେବାକେନ୍ଦ୍ର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁଓ୍ବାଇ) ଅଧୀନରେ ପିପିପି ମୋଡରେ ଏହା କାର୍ଯ୍ୟକ୍ଷମ ହେବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ଦାୟିତ୍ୱବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେଶନ ଏବଂ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିକାଶ ବିଭାଗ ଏହାର ଅଂଶୀଦାର ରହିବେ। ରାଜ୍ୟରେ ପିପିପି ମୋଡ୍‌ରେ ଏଭଳି କୃଷିସେବା କେନ୍ଦ୍ର ପ୍ରଥମ ବୋଲି କୁହାଯାଉଛି। ଗତ ମାର୍ଚ୍ଚ ୪ରେ ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁ ଯୋଗଦେଇ କହିଲେ, ତୁବେ ଏବଂ ପୀତାବଳୀ ଗ୍ରାମରେ କୃଷକ ସେବାକେନ୍ଦ୍ର ହେବ। ଏହି ଅବସରରେ ତୁବେ ଗ୍ରାମସ୍ଥିତ କଳାପାଟ କୃଷି ଉତ୍ପାଦକ କମ୍ପାନୀ ଲିମିଟେଡ ଏବଂ ଡେରଜାଙ୍ଗସ୍ଥିତ ପୀତାବଳୀ କୃଷି ଉତ୍ପାଦକ କମ୍ପାନୀ ଲିମିଟେଡର ସଦସ୍ୟଙ୍କୁ ଅଗ୍ରସରପତ୍ର ପ୍ରଦାନ କରାଯାଇଥିଲା। କୃଷି ସେବାକେନ୍ଦ୍ର ଦ୍ୱାରା ଚାଷୀମାନେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ଉକ୍ତ ଦୁଇ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ଲାଗି ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅବଶିଷ୍ଟ ୧୮ ଲକ୍ଷ ଟଙ୍କା ସରକାରୀ ସବ୍‌ସିଡି ମିଳିବ ବୋଲି ସୂଚନା ଦିଆଯାଇଛି। ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବୋର୍ଡର ସମସ୍ତ ସଦସ୍ୟ, କୃଷି ଉତ୍ପାଦକ କେନ୍ଦ୍ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏପିକଲ୍‌ର ଜିଲା ପ୍ରବନ୍ଧକ ପ୍ରମୋଦ ଦାସ ଧନ୍ୟବାଦ ଦେଇଥିଲେ।