୨ ଏକର ଲେଖାଏ ଜମି ନିରୂପଣ ନିଷ୍ପତ୍ତି: ଖୋଲିବ ୭୯ ନୂଆ ଲ୍ୟାମ୍ପସ୍‌

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୨ା୫: ରାୟଗଡ଼ା ଜିଲାରେ ୭୯ଟି ନୂତନ ଲ୍ୟାମ୍ପସ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏ ଲ୍ୟାମ୍ପସ୍‌ ଗଠନ କରି କୃଷିଜନିତ ସମସ୍ୟା ଦୂରୀକରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତିନେଇଛନ୍ତି। ଲ୍ୟାମ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ସମସ୍ତ ଭିତ୍ତିଭୂମି ସରକାର ପ୍ରଦାନ କରିବେ। ପ୍ରତି ଲ୍ୟାମ୍ପ ପାଇଁ ଦୁଇ ଏକର ଲେଖାଏ ଜମି ପ୍ରଦାନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ହୋଇଛି। ତହସିଲ ପକ୍ଷରୁ ଜମିର ସ୍କେଚ ମ୍ୟାପ ପ୍ରଦାନ କରାଯିବା ପରେ ସେଠାରେ କାର୍ଯ୍ୟାଳୟ ଓ ଗୋଦାମ ନିର୍ମାଣ କରାଯିବ। ଏଥିସହ ବର୍ତ୍ତମାନ ଯେଉଁସବୁ ଲ୍ୟାମ୍ପସ ରହିଛି, ତାହାର ଜମି ପଟ୍ଟା ପ୍ରଦାନ ପାଇଁ ମଧ୍ୟ ସରକାର ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୋରାପୁଟ ସମବାୟ ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଅପରପକ୍ଷରେ ଚାଷୀଙ୍କ ପାଇଁ ସମସ୍ତ ସରକାରୀ ଯୋଜନା କିଭଳି ସମବାୟ ବିଭାଗ ଜରିଆରେ ଠିକ୍‌ ଭାବରେ କାର୍ଯ୍ୟ କରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟତଃ ଆଗାମୀ ଖରିଫ ଋତୁରେ ବିହନ ଓ ସାର ଯୋଗାଣକୁ ନେଇ ସଭାପତି ସମୀକ୍ଷା କରିଥିଲେ। ସେହିଭଳି କାଳିଆ ଓ ବଳରାମ ଯୋଜନାରେ ଚାଷୀଙ୍କର ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଲ୍ୟାମ୍ପସ୍‌ କତ୍ତୃପକ୍ଷଙ୍କୁ କୁହାଯାଇଛି। ଲ୍ୟାମ୍ପସ୍‌ଗୁଡ଼ିକର ସମସ୍ତ ନଥିପତ୍ର ଠିକ କରିବା ସହିତ ଆୟକର ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବ୍ୟାଙ୍କ ନିର୍ଦ୍ଦେଶକ ବି. ତିରୁପତି, ଜଗନ୍ନାଥ ନୁଣ୍ଡୃକା, ବୃନ୍ଦାବନ ଶବର, ଏଆରସିଏସ କିଆପିଲି ଶବର, ବ୍ୟାଙ୍କ ସମ୍ପାଦକ କୃଷ୍ଣଚନ୍ଦ୍ର ଦାନି ସମେତ ସମସ୍ତ ବ୍ୟାଙ୍କ ମ୍ୟାନେଜର ଓ ଲ୍ୟାମ୍ପସ୍‌ ପରିଚାଳନା ନିର୍ଦ୍ଦେଶକ ଯୋଗ ଦେଇଥିଲେ।