ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍), ଶ୍ରୀଗଙ୍ଗାନଗର ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ ଅଭିଯାନ ଚଳାଇ ଅଭିଯୁକ୍ତ ୨୧ ବର୍ଷୀୟ ମହକଦୀପ କୌର ଏବଂ ୨୨ ବର୍ଷୀୟ ଦାବିନ୍ଦର ସିଂଙ୍କୁ ଗିରଫ କରିଛି। ପାକିସ୍ତାନର ୨ ଜଣ ହ୍ୟାଣ୍ଡଲରଙ୍କ ସହ କୌର ଯୋଗାଯୋଗରେ ଥିଲେ ବୋଲି ପୋଲିସ କହିଛି। ଜଣେ ହ୍ୟାଣ୍ଡଲର ଚାଚା ଭାବେ ପରିଚିତ ଥିବାବେଳେ ଅନ୍ୟ ଜଣେ ଶାହ ବୋଲି ଜଣାପଡ଼ିଛି। ସେମାନେ ପ୍ରେମଭରା କଥାବାର୍ତ୍ତା କରି ଓ ଟଙ୍କା ଦେଇ କୌରଙ୍କୁ ଫସାଇଥିଲେ। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଏହା ଏକ କ୍ରମାଗତ ଧାରାରେ ପରିଣତ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗଙ୍ଗାନଗରର ବବିତା ନାମ୍ନୀ ମହିଳାଙ୍କୁ ଫସାଇବା ପାଇଁ ଆଇଏସ୍ଆଇ ସମାନ ପଦ୍ଧତି ବ୍ୟବହାର କରିଥିଲା ବୋଲି ପୋଲିସ ପୂର୍ବରୁ କହିଥିଲା।
ନିଶା ଚୋରା କାରବାର ମାମଲାରେ କୌରଙ୍କ ସ୍ବାମୀ ଜେଲରେ ଥିବାରୁ ସେ ଘରେ ଏକାକୀ ରହୁଥିଲେ। ରେଳ ଷ୍ଟେଶନରେ ବିସ୍ଫୋରଣ କରାଇବା ପାଇଁ ସେ ଟଙ୍କା ପାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ପୋଲିସ ତାଙ୍କଠାରୁ ୨ଟି ଅସ୍ତ୍ର, ୪୬ଟି କାଟ୍ରିଜ୍ ଓ ୩୦,୦୦୦ ଟଙ୍କା ଜବତ କରିଛି। ଏଥିସହିତ ପୋଲିସ ଅନ୍ୟ ୩ ଜଣଙ୍କୁ ହାଜତକୁ ନେଇ ପଚରାଉଚରା କରୁଛି। ସେମାନେ ଅଭିଯୁକ୍ତଙ୍କୁ ରହିବା ପାଇଁ ସ୍ଥାନ, ମୋଟର ସାଇକେଲ ଦେବା ସହ ଅପରାଧ ସ୍ଥଳକୁ ଯିବାରେ ସହାୟତା କରିଥିବା ସନ୍ଦେହ କରାଯାଉଛି।