ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଅନେକ ସମୟରେ ଭଞ୍ଜନଗର ପୋଲିସ ଏବଂ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ଯ କରୁଛି। ତଥାପି ଚୋରା ଗଞ୍ଜେଇ ବେପାର କମିବାକୁ ନାହିଁ। ଚୋରା ଗଞ୍ଜେଇ ଅଧିକାଂଶ ସମୟ ଭଞ୍ଜନଗର ଦେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଏହିଭଳି ମଙ୍ଗଳବାର କନ୍ଧମାଳ ଜିଲାର ଦୁଇଜଣ ଅଭିଯୁକ୍ତ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ ଭେରଦା ରାସ୍ତାରେ କାରରେ ଯାଉଥିଲେ।
ଏନେଇ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କୌଣସି ସୂତ୍ରରୁ ସୂଚନା ପାଇ ଉକ୍ତ ଦୁଇ ଯୁବକଙ୍କୁ ଠାବ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏସଆଇ ଲକ୍ଷ୍ମୀଧର ମହାନ୍ତି ଏବଂ ଅନ୍ୟ ଷ୍ଟାଫ ଅଭିଯୁକ୍ତ ଦ୍ୱୟଙ୍କୁ ଭେରେଡ଼ା ନିକଟରେ ଦୁଇଟି ବସ୍ତା ଧରି ଠିଆ ହୋଇଥିବା ଦେଖିଥିଲେ ।
ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ୪୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିଲା। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଥିଲେ । ଏଥିସହ ଗୋଟିଏ କାର୍ ଓ ୧ ହଜାର ଟଙ୍କା ଜବତ ହୋଇଛି । ଗିରଫ ଦୁଇଜଣ ହେଲେ କନ୍ଧମାଳ ଜିଲାର ସିଦ୍ଧାର୍ଥ ନାୟକ ଓ ଦେବେନ୍ଦ୍ର ଦିଗାଲ। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।