ପାକିସ୍ତାନରେ ୨ ଦୁର୍ଘଟଣା: ୫୧ ମୃତ

ବେଲା/ପେଶାଓ୍ବର,୩୦।୧ : ପାକିସ୍ତାନରେ ରବିବାର ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ବେଲୁଚିସ୍ତାନ ପ୍ରଦେଶରେ ଏକ ବସ୍‌ ବ୍ରିଜ୍‌ ପିଲାରକୁ ଧକ୍କା ଦେଇ ଗଭୀର ନାଳ ମଧ୍ୟକୁ ଖସିପଡ଼ିବାରୁ ୪୧ ଜଣଙ୍କ ଜୀବନ ଯାଇଥିବାବେଳେ ଖାଇବର ପଖତୁନଖ୍ବାରେ ଏକ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ବେଲୁଚିସ୍ତାନ ଦୁର୍ଘଟଣାରେ ଏବେ ବି ୯ ଜଣ ନିଖୋଜ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ମୃତଦେହଗୁଡ଼ିକ ଚିହ୍ନଟ କରିବା ଅବସ୍ଥାରେ ନାହିଁ ବୋଲି ଲାସବେଲା ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ହାମ୍‌ଜା ଅଞ୍ଜୁମ୍‌ କହିଛନ୍ତି। ଘଟଣାସ୍ଥଳରୁ ୪୦ ମୃତଦେହ ବାହାର କରାଯିବା ସହ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ବସ୍‌ଟି ବେଲୁଚିସ୍ତାନ ପ୍ରାଦେଶିକ ରାଜଧାନୀ କ୍ୱେଟ୍ଟାରୁ କରାଚୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ବସ୍‌ଟି ଦ୍ରୁତ ବେଗରେ ଆସୁଥିବାବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ବୋଲି ଆଶଙ୍କା କରାଯାଉଛି।
ସେହିପରି ଉତ୍ତରପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ କୋହଟ ନିକଟରେ ତଣ୍ଡା ଡ୍ୟାମ୍‌ ହ୍ରଦରେ ମଦ୍ରାସା ପିଲାମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ଜୀବନ ଯିବା ସହ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବୋଟ୍‌ଟି ୨୫ରୁ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ମଦ୍ରାସାରୁ ଯାଉଥିବାବେଳେ ହ୍ରଦ ମଝିରେ ଓଲଟି ପଡ଼ିଥିଲା।

Share