ନବୀକରଣ ଲାଗି ଖର୍ଚ୍ଚ ହେବ ୨.୫ କୋଟି

ଜଳେଶ୍ୱର, ୧୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ନୂତନ ରେଳଷ୍ଟେଶନ ନିର୍ମାଣ ହେବା ପୂର୍ବରୁ ଏବେ ପୁରୁଣା ଷ୍ଟେଶନର ନବୀକରଣ ଆରମ୍ଭ ହୋଇଛି। ଏଥିରେ ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। କିନ୍ତୁ ଏହାର ନବୀକରଣ ପରେ ୩ନଂ. ରେଳପଥ, ମୁଖ୍ୟ ରେଳଷ୍ଟେଶନ ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ପ୍ୟାନେଲ ବୋର୍ଡ କାର୍ଯ୍ୟ ୪ନଂ. ପ୍ଲାଟଫର୍ମ ନିକଟରେ ହେବ ବୋଲି ସୂଚନା ମିଳିଛି।
ରେଳପଥର ଖଡଗପୁର ଡିଭିଜନ୍‌ ଅନ୍ତର୍ଗତ ଜଳେଶ୍ୱର ରେଳଷ୍ଟେଶନ ବହୁ ପୁରୁଣା। ଏବେ ଏଠାରୁ ପ୍ରତିବର୍ଷ ପ୍ରାୟ ୧୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥାଏ। ଏହି ରେଳଷ୍ଟେଶନ ଉପରେ ଉତ୍ତର ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗର ପ୍ରାୟ ୧୦ଲକ୍ଷ ଲୋକ ନିର୍ଭର କରିଥାନ୍ତି। ଏବେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ରେଳଷ୍ଟେଶନର କାର୍‌ ଓ ସାଇକେଲ ଷ୍ଟାଣ୍ଡ, ପାର୍କ, ର଼୍ୟାମ୍ପ, ଗମନାଗମନ ଲାଗି ରାସ୍ତା ନିର୍ମାଣରେ ପ୍ରାୟ ୨.୫କୋଟି ଟଙ୍କା ଖର୍ଚ୍ଚ ହେବ। ଏଣିକି କାର୍‌, ଟ୍ରେକର, ଟେମ୍ପୋ ଆଦି ଡ୍ରପ୍‌ ଜୋନରେ ଛାଡି ଅନ୍ୟତ୍ର ଯିବାକୁ ବାଧ୍ୟ ହେବ। ଷ୍ଟେଶନ ସମ୍ମୁଖରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ପାର୍କ, ନୂତନ ବୁକିଂ କାଉଣ୍ଟର, ଶୌଚାଳୟ ଆଦି ନିର୍ମାଣ ହେବ ବୋଲି ଜଣାପଡିଛି। ଚଳିତବର୍ଷ ଏସବୁ କାର୍ଯ୍ୟ ଶେଷ ହେବ ବୋଲି ରେଳବାଇର ମୁଖ୍ୟ ଇଞ୍ଜିନିୟର ସଞ୍ଜୟ ବାନାର୍ଜି, ଡିଆର୍‌ଏମ୍‌ ଏମ୍‌.ଏସ୍‌ ହାସମି, ସନିୟର ଡିସିଏମ୍‌ ରାଜେଶ କୁମାର, ସିନିୟର ଡିଇଏନ୍‌ ଏସ୍‌କେ ସୌରଭ ପ୍ରମୁଖ କହିଛନ୍ତି। ଫଳରେ ଜଳେଶ୍ୱର ରେଳଷ୍ଟେଶନର ସୌନ୍ଦର୍ଯ୍ୟକରଣ ହେବା ସହିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଦୂର ହେବା ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳ ସୂଚନା ଦେଇଛନ୍ତି।