ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ

ଲଣ୍ଡନ, ୨୩ା୭”ସାରା ବିଶ୍ୱରେ ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ ହେଉଛି। ଏଥିଯୋଗୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ସମେତ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍‌ ବୃଦ୍ଧି ପାଉଛି, ଯାହାକି ବାର୍ଷିକ ସବୁଜଗୃହ ପ୍ରଭାବଜନିତ ନିର୍ଗତ ଗ୍ୟାସ୍‌ର ୧୦ ପ୍ରତିଶତ ବୋଲି ‘ଫିଗର୍ସ ଅଫ୍‌ ଡ୍ରିଭେନ୍‌ ଟୁ ଓ୍ବେଷ୍ଟ’ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଅଫ ନେଚର(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଏବଂ ବ୍ରିଟିଶ୍‌ ରିଟେଲିଂ ଜିଆଣ୍ଟ ଟେସ୍‌କୋ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୨୦୧୧ ପରେ ଏବେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ମୋଟ ଖାଦ୍ୟଶସ୍ୟର ୪୦ ପ୍ରତିଶତ ନଷ୍ଟ ହେଉଛି। ଏଥିଯୋଗୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ୟୁରୋପ ଓ ଉତ୍ତର ଆମେରିକାରେ କାର୍‌ଗୁଡ଼ିକରୁ ବାହାରୁଥିବା ଗ୍ୟାସ୍‌ର ୨ ଗୁଣ ହେବ।
କୁହାଯାଇଛି, ପ୍ରତିବର୍ଷ କେବଳ ୧.୨ ବିଲିୟନ ଟନ୍‌ ଖାଦ୍ୟଶସ୍ୟ ଚାଷ ବେଳେ ନଷ୍ଟ ହେଉଛି। ଏହା ଦିନକୁ ଦିନ ବଡ଼ ସମସ୍ୟାରେ ପରିଣତ ହେଉଥିବାରୁ ଖାଦ୍ୟ ନଷ୍ଟ ପରିମାଣକୁ କମାଇବାକୁ ପଡ଼ିବ ବୋଲି ଗ୍ଲୋବାଲ ଫୁଡ୍‌ ଲସ୍‌ ଆଣ୍ଡ ଓ୍ବେଷ୍ଟ ଇନିସିଏଟିଭ୍‌ର ପେଟେ ପିୟର୍ସନ କହିଛନ୍ତି। ମୋଟ ଖାଦ୍ୟଶସ୍ୟର ୫୮ ପ୍ରତିଶତ ନଷ୍ଟ ପାଇଁ ୟୁରୋପ ଓ ଉତ୍ତର ଆମେରିକା ଭଳି ଶିଳ୍ପ ସମୃଦ୍ଧ ଦେଶଗୁଡ଼ିକ ଦାୟୀ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କୃଷକମାନଙ୍କୁ ସହାୟତା କରିବା ସହ ଖାଦ୍ୟ ବର୍ଜ୍ୟବସ୍ତୁ ପରିମାଣ କମାଇବା ଜରୁରୀ ବୋଲି ଓ୍ବେଷ୍ଟ ପ୍ରୋଗ୍ରାମ ମ୍ୟାନେଜର ଲିଲି ଡା ଗାମା କହିଛନ୍ତି। ଏ ଦିଗରେ ସାମ୍ପ୍ରତିକ ନୀତି ଯଥେଷ୍ଟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

Share