ମାଲକାନଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା: ସମ୍ମାନର ସହ ଦାହ କଲା ପ୍ରଶାସନ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପ୍ରଥମ କରୋନା ମୃତ୍ୟୁ ହୋଇଛି। ମାଲକାନଗିରି ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ ସାହିର ଜଣେ ବ୍ୟକ୍ତିଙ୍କ ମାଲକାନଗିରି କୋଭିଡ୍‌ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ସେ କରୋନା ଆକ୍ରାନ୍ତ ଥିବା ହେବା ସହ ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହୋଇଥିଲା। ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରୁଥିଲେ। ଗତ ବୁଧବାର ଦିନ ରାତିରେ ଅତି ଗୁରୁତର ହୋଇ ପଡିବାରୁ ତାଙ୍କୁ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଚିକତ୍ସା କରାଯାଉଥିଲା। ହେଲେ ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ମାଲକାନଗିରି ପ୍ରଶାସନ ପକ୍ଷରୁ କିନ୍ତୁ ଅନ୍ୟ ଅଞ୍ଚଳ ଭଳି ମୃତଦେହକୁ ସମ୍ମାନର ସହ ମାଲକାନଗିରି ଶବଦାହ ସ୍ଥଳରେ ସ୍ବତନ୍ତ୍ର ଭାବେ ଶବ ସଂସ୍କାର ସ୍ଥାନ ନିରୁପଣ କରାଯାଇ ତାଙ୍କ ପରିବାରଙ୍କ ଗହଣରେ ଶବ ସଂସ୍କାର କରା ଯାଇଛି। ଏହି ଅବସରରେ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ, ଆଇଆଇସି ରାମ ପ୍ରସାଦ ନାଗ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଶୁଳ ମାରାଣ୍ଡି ପ୍ରମୁଖ ନିଜେ ଉପସ୍ଥିତ ରହି ମୃତଦେହ ସତ୍କାର କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୂର୍ବରୁ ମୃତକଙ୍କ ଭାଉଜ ମଧ୍ୟ ଗୁରୁତର ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୋଭିଡ୍‌ ଟେଷ୍ଟ କରା ଯାଇ ନ ଥିବାରୁ କରୋନା ରୋଗୀ ଭାବେ ଚିହ୍ନଟ କରାଯାଇନାହିଁା ତେବେ ସରକାରୀ ଭାବରେ ତାଙ୍କ ମୃତ୍ୟୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରା ଯାଇ ନ ଥିବା ବେଳେ ରବିବାର କରୋନା ମୃତ୍ୟୁ ତାଲିକାରେ ତାଙ୍କର ନାମ ପ୍ରକାଶ ପାଇବ ଏବଂ ସେ କରୋନା ଜନିତ ସଂକ୍ରମଣରେ ଚିକିତ୍ସିତ ହୋଇ ମୃତ୍ୟୁବରଣ କରିଥିବା ତହସିଲଦାର ନାୟକ ସୂଚନା ଦେଇଛନ୍ତି ା