ରୁଷିଆ-ୟୁକ୍ରେନ ଯୁଦ୍ଧର ୧୯ ଦିନ: ଥମୁନି ମିଶାଇଲ ମାଡ, ବଢୁଛି ବିସ୍ଫୋରଣ ସଂଖ୍ୟା

ମସ୍କୋ/କ୍ୱିଭ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୯ ଦିନ ହୋଇଗଲାଣି । ଏବେବି ରୁଷିଆ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ ବି ଏହାର କଡା ଜବାବ ଦେଇ ଚାଲିଛି । ରୁଷିଆ ସେନା ୟୁକ୍ରେନର ରାଜଧାନୀ କ୍ୱିଭ୍ ସମେତ ଅନ୍ୟ ବଡ ବଡ ସହର ଉପରେ ବୋମାମାଡ କରି ଚାଲିଛି । ମାଇକୋଲେବ, ଖାର୍କିବ ଓ ରିୱନରେ ସୋମାବାର ବିମାନ ଆକ୍ରମଣ କରାଯାଇଛି । ଉତ୍ତର ସହର ଚେର୍ନିହିବରେ ବି ରାତିସାରା ଆକ୍ରମଣ ଜାରି ରହିଛି । ଏଠାରେ ବିମାନ ଆକ୍ରମଣ କରାଯାଉଛି । ଅନ୍ୟପଟେ ଯୁଦ୍ଧ ବିରତି ପାଇଁ ୨ ଦେଶ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସୁଫଳ ମିଳିପାରି ନାହିଁ । ତେବେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତାର ପରିଣାମ ବିଷୟରେ ସଠିକ ସୂଚନା କିଛି ଏପର୍ଯ୍ୟନ୍ତ ମିଳିପାରି ନାହିଁ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲ୍‌ୟାକ ଭିଡିଓ ଲିଙ୍କ ଜରିଆରେ ବାର୍ତ୍ତାର କିଛି ଫଟୋ ଟୁଇଟ୍ କରିଛନ୍ତି ।
ସେ କହିଛନ୍ତି ବାର୍ତ୍ତା ସମୟରେ ୟୁକ୍ରେନ୍ ଶାନ୍ତି, ଯୁଦ୍ଧ ବିରାମ, ରୁଷିଆ ସେନାଙ୍କ ତତ୍କାଳ ପ୍ରତ୍ୟାବର୍ତ୍ତନ ଓ ନାଗରିକଙ୍କ ସୁରକ୍ଷା ଗ୍ୟାରେଣ୍ଟି କଥା ଉଠାଇଥିଲା । ନିଜେ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ବାର୍ତ୍ତାର ଫଳାଫଳ ଖୁବଶୀଘ୍ର ସାର୍ବଜନିକ କରାଯିବ । ୟୁକ୍ରେନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି କି ବାହାରେ ବି ଦୁଇ ଦେଶର ସେନାଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷିଆ ସେନା କ୍ୱିଭର ଉପନଗରରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମରେ ବି ବିସ୍ଫୋରଣ କରିଛନ୍ତି । ୟୁକ୍ରେନର ସବୁଠାରୁ ବଡ ବିମାନ ନିର୍ମାଣ ଫ୍ୟାକ୍ଟ୍ରି ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି । ଏଥିରେ ଜଣଙ୍କ ଜୀବନ ଯାଇଛି । ଏହାସହ ୭ ଆହତ ହୋଇଛନ୍ତି । ଏଣ୍ଟୋନୋବସ୍ଥିତ ଫ୍ୟାକ୍ଟ୍ରିରେ ବିଶ୍ୱର ସବୁଠାରୁ ଭଲ କାର୍ଗୋ ବିମାନ ନିର୍ମାଣ କରାଯାଇଥାଏ ।

Share