କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଜି ନାମଲେଖା ଲାଗି ୧୯ ଯାଏ ଆବେଦନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ଆସନ୍ତା ୧୯ ତାରିଖରେ ଶେଷ ହେବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ଟି ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା (ସିୟୁଇଟି) କରାଯିବ । ସମସ୍ତ ପ୍ରକ୍ରିୟାକୁ ଏନଟିଏ(ଜାତୀୟ ପରୀକ୍ଷା ଏଜେନ୍ସି) ପରିଚାଳନା କରିବ । ଭାଷାଭିତ୍ତିକ ବିଷୟ ବ୍ୟତୀତ ଅନ୍ୟ ସମସ୍ତ ବିଷୟ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଅନୁଷ୍ଠିତ ହେବ । ଓ ୨୨ଟି ସହରରେ ପରୀକ୍ଷା କେନ୍ଦ୍ର ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ କୁଳପତି ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମଧ୍ୟ କୃଷି ବିଜ୍ଞାନ, ଜଙ୍ଗଲ ପରିଚାଳନା ଆଦି ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ ପ୍ରସ୍ତାବ ରହିଥିବା କୁଳପତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ବିସି ପଟ୍ଟନାୟକ ଓ ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଉପସ୍ଥିତ ଥିଲେ ।