କାନାଡାରେ ଶିଖ୍‌ ନେତାଙ୍କୁ ହତ୍ୟା

ଓଟାଓ୍ବା,୧୫।୭: କାନାଡାର ଶିଖ ନେତା ତଥା ପଞ୍ଜାବୀ ମୂଳ ବ୍ୟବସାୟୀ ରିପୁଦାମାନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ କାରରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ଏକ କାରରେ ଆସିଥିଲେ। କାରକୁ କିଛି ଦୂରରେ ପାର୍କିଂ କରି ବାଇକ୍‌ରେ ଆସି ଗୁଳି ମାରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ କାରରେ ନିଆଁ ଲଗାଇ ସେଠାରୁ ପଳାଇଥିଲେ। ବର୍ତ୍ତମାନ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ।
ରିପୁଦାମାନ ସିଂ କାନାଡାରେ ଜଣେ ସଫଳ ବ୍ୟବସାୟୀ ତଥା ଶିଖ ସଂଗଠନର ପ୍ରତିନିଧୀ ଥିଲେ। ୧୯୮୫ରେ ତାଙ୍କ ନାଁରେ ଏୟାର ଇଣ୍ଡିଆ ବିମାନ ଅପହରଣ କରି ସେଥିରେ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା। ମାଣ୍ଟ୍ରିଆଲରୁ ନୂଆଦିଲ୍ଲୀକୁ ଆସୁଥିବା ବିମାନରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ରିପୁଦାମାନ ୨୦୦୫ ପର୍ଯ୍ୟନ୍ତ କାନାଡାର କାରାଗାରରେ ରହିଥିଲେ ଏବଂ ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ରିପୁଦାମାନ ପୂର୍ବରୁ ଖଲିସ୍ତାନର ସମର୍ଥକ ଥିଲେ କିନ୍ତୁ ପରେ ତାଙ୍କର ଆଦର୍ଶ ବଦଳିଗଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଶିଖ ସମ୍ପ୍ରଦାୟର ଲୋକଙ୍କୁ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ଦୂରରେ ରହିବାକୁ ପ୍ରେରଣା ଦେଉଥିଲେ।

Share