Categories: ଜାତୀୟ

୧୯୮୪ ଶିଖ୍‌ବିରୋଧୀ ଦଙ୍ଗା ମାମଲା : ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କଲା ସିବିଆଇ

ନୂଆଦିଲ୍ଲୀ , ୧୧ା୪: ୧୯୮୪ରେ ଦିଲ୍ଲୀ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ମଙ୍ଗଳବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କରିଛି। ସିବିଆଇ ଉକ୍ତ ମାମଲାରେ ୩ଟି କ୍ଲୋଜର ରିପୋର୍ଟ ଦାଖଲ କରିଥିଲା। ତେବେ ସାନି ପ୍ରମାଣ ମିଳିବା ପରେ ତଦନ୍ତକାରୀ ସଂସ୍ଥା ଟାଇଟଲରଙ୍କ ସ୍ବର ନମୁନା ନେବା ଲାଗି ତାଙ୍କୁ ସିଜିଓ କମ୍ଲେକ୍ସରେ ଥିବା କେନ୍ଦ୍ରୀୟ ଫୋରେନ୍‌ସିକ୍‌ ସାଇନ୍ସ ଲାବରେଟୋରିକୁ ଡାକିଥିଲା। ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଶିଖ୍‌ ଅଙ୍ଗରକ୍ଷୀ ହତ୍ୟା କରିବା ପରେ ଦିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ନଭେମ୍ବର ୧ରେ ଉତ୍ତର ଦିଲ୍ଲୀର ଗୁରୁଦ୍ୱାରା ପୁଲ୍‌ ବଙ୍ଗେଶ ଦଙ୍ଗାରେ ୩ ଜଣଙ୍କ ଜୀବନ ଯାଇଥିଲା। କ୍ଲୋଜର ରିପୋର୍ଟ ବିରୋଧରେ ମୃତକଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସିବିଆଇ ପୁନର୍ବାର ତଦନ୍ତ ଆରମ୍ଭ କରିଥିଲା। ସ୍ବର ନମୁନା ଦାଖଲ କରିବା ପରେ ଟାଇଟଲର ଗଣମାଧ୍ୟମକୁ କହିଛନ୍ତି, ସେ କୌଣସି ଭୁଲ୍‌ କରି ନାହାନ୍ତି। ଯଦି ତାଙ୍କ ବିରୋଧରେ ପ୍ରମାଣ ଥାଏ, ତେବେ ସେ ଫାଶୀ ପାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

Share