୧୯୨୦ ବୋତଲ କଫ ସିରପ୍‌ ଜବତ : ୫ ଗିରଫ

ସୋନପୁର/ତରଭା,୧।୪(ନି.ପ୍ର./ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ଏକ ବଡ ଧରଣର ବେଆଇନ୍‌ କଫ ସିରପ୍‌ ନେଟଓ୍ବାର୍କିଂକୁ ଭେଦ କରିଛି। ଖାରୀ ନିକଟରେ ତରଭା ପୋଲିସ ଶୁକ୍ରବାର ଚଢାଉ କରି ୧୨ ପେଟି ଏସକଫ କମ୍ପାନୀର କଫ ସିରପ୍‌ ଜବତ କରିଛି। ପେଟିରେ ୧୦୦ମିଲିଲିଟର ବିଶିଷ୍ଟ ମୋଟ ୧୯୨୦ ବୋତଲ କଫ ସିରପ୍‌ ଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ। ଏହା ସହିତ ବେଆଇନ କଫ ସିରପ୍‌ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ତରଭା ଥାନା ବଲାଡି ଗ୍ରାମର ଦେବେନ୍ଦ୍ର ପାତ୍ର(୨୬), ପୁରୀ ଜିଲା ଗୋପ ଥାନା ବେଗୁନିଆ ଗ୍ରାମର ପ୍ରଶାନ୍ତ ନାୟକ(୨୬), ନୟାଗଡ ଜିଲା ଓଡଗାଁ ଥାନା କୋମଣ୍ଡା ଗ୍ରାମର ଶୁଶାନ୍ତ ସେଠୀ(୩୨), ବଲାଙ୍ଗୀର ଜିଲା ସଇଁତଳା ଥାନା ଗଣ୍ଡାପତରାପାଲି ଗ୍ରାମର ସୁଶାନ୍ତ ଡାଙ୍ଗ(୨୩), ସଇଁତଳା ଥାନା କୁଇକେଡା ଗ୍ରାମର ଦେବାଶିଷ ଛତ୍ରିଆ(୨୪)। ଗିରଫ ଅଭିଯୁକ୍ତ ମାନଙ୍କଠାରୁ ଗୋଟିଏ ପିକଅପ୍‌ ଭ୍ୟାନ, ଗୋଟିଏ ହୁଣ୍ଡାଇ ଇଓନ କାର ଓ ୫ଟି ମୋବାଇଲ ଜବତ କରାଯାଇଛି। ଏହି କଫ ସିରପ୍‌ ନିଶା କାରବାରରେ ବଡ ର଼୍ୟାକେଟ୍‌ କାମ କରୁଛି। ମାମଲାର ତଦନ୍ତ ଜାରି ରହିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପଶ୍ଚିମ ଓଡିଶାରେ କେତେକ କମ୍ପାନୀର କଫ ସିରପ୍‌ରେ ବ୍ୟାପକ ବେଆଇନ କାରବାର ଚାଲିଛି। ଏଥିରେ ନିଶାଥିବାରୁ ଲୋକେ ଏହାକୁ ନିଶା ଭାବେ ପିଉଛନ୍ତି। ଶସ୍ତାରେ ଏବଂ ସହଜରେ ଉପଲବ୍ଧ ହେଉଥିବା ଏହି ନିଶା ପାଇଁ ଆନ୍ତଃରାଜ୍ୟ ର଼୍ୟାକେଟ୍‌ କାର୍ଯ୍ୟ କରୁଛି। ଦୁଇ ସପ୍ତାହ ପୂର୍ବରୁ ବଲାଙ୍ଗୀରରେ ବଡ ଧରଣର ଚଢାଉ ହୋଇଥିଲା । ତେଣୁ ସେଠାକାର ନିଶା ବ୍ୟବସାୟୀମାନେ ବଲାଙ୍ଗୀର ଜିଲା ସୀମାକୁ ଲାଗିଥିବା ସୁବର୍ଣ୍ଣପୁର ଜିଲାର ତରଭା ଅଞ୍ଚଳରେ କଫ ସିରପ୍‌ ଗଚ୍ଛିତ ରଖି ସେମାନଙ୍କ ବ୍ୟବସାୟ ଚଳାଉଥିବା ପୋଲିସ ସୂଚନା ଦେଇଛି। ବ୍ୟବସାୟୀ ପ୍ରଶାନ୍ତ ଓ ସୁଶାନ୍ତ ପିକଅପ୍‌ ଭ୍ୟାନ୍‌ ନଂ ଓଡି୦୨ବିଏନ-୯୨୧୨ରେ କଫ ସିରପ୍‌ ଆଣି ଖାରୀ ନିକଟସ୍ଥ ସରସ୍ବତୀ ଶିଶୁ ମନ୍ଦିର ପଛ ପାର୍ଶ୍ୱରେ ଅନଲୋଡ କରୁଥିଲେ। ବଲାଡି ଗାଁର ଦେବେନ୍ଦ୍ର ଏହି କଫ ସିରପ୍‌ ମଗାଇ ଥିଲେ। ଅଭିଯୁକ୍ତ ସୁଶାନ୍ତ ଓ ଦେବାଶିଷ ଏଥିରେ ସହଯୋଗ କରୁଥିଲେ ବୋଲି ଏସ୍‌ପି ପଣ୍ଡା କହିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କଠାରୁ ହୁଣ୍ଡାଇ ଇଓନ କାର ନଂ ଓଡି୦୩ବି-୨୨୫୫ ଜବତ କରାଯାଇଛି । ୧୦୦ମି.ଲି.ଏସ୍‌କଫ କଫ ସିରପ୍‌ ବୋତଲର ସର୍ବୋଚ୍ଚ ଖୁଚୁରା ଦର ୪୫ ଟଙ୍କା ଥିବା ବେଳେ ନିଶାସକ୍ତ ବ୍ୟକ୍ତିଙ୍କୁ ବ୍ୟବସାୟୀ ମାନେ ୪୦୦ ରୁ ୫୦୦ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଜଣାପଡିଛି। ପୋଲିସ ଏସ.ଆଇ ଆରତୀ କହଁରଙ୍କ ଅଭିଯୋଗ କ୍ରମେ ତରଭା ଥାନାରେ ୬୫/୩୧ ମୂଳେ ୨୧(ବି)/୨୯ ଏନଡିପିସି ଆକ୍ଟରେ ମାମଲା ରୁଜୁ ହୋଇଛି। ଶନିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ଖବରଦାତା ସମ୍ମିଳନୀରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।