ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ

ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧ ଲକ୍ଷ ୩୯ ହଜାର ୯୫୯ ପକ୍ଷୀ ଆସିଛନ୍ତି। ଅର୍ଥାତ୍‌ ଗତବର୍ଷଠାରୁ ଚଳିତବର୍ଷ ଭିତରକନିକାକୁ ୧୮୫୨ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧୪୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୪୦ ପ୍ରଜାତିର ପକ୍ଷୀ ଆସିଛନ୍ତି। ଚଳିତବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି। ଗିଜ ଆଣ୍ଡ ଡକ୍‌ସ ଜାତୀୟ ୧୫ ପ୍ରଜାତିର ୮୧,୯୩୦ ପକ୍ଷୀ ଭିଡ ଜମାଇଛନ୍ତି। ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଆସିଥିବା ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତମାସ ୬ ତାରିଖରେ ୧୭ଟି ଟିମ୍‌ ପକ୍ଷରୁ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁରମୁହାଣ, ଲକ୍ଷ୍ମୀପ୍ରସାଦଡିଅଁା, କାଳିଭଞ୍ଜଡିଅଁା, ମଗରକନ୍ଦା, ଚିଞ୍ଚତ୍ରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ ପ୍ରଭୃତି ସ୍ଥାନଗୁଡିକରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ଅଞ୍ଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ସାଧାରଣତଃ ଖୋଲା ଜାଗା, ଧାନବିଲ, ନଦୀପଠା ଓ ଜଳାଶୟଗୁଡିକରେ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗତ ୧୫ ବର୍ଷର ଭିତରକନିକାରେ ଭିଡ ଜମାଇଥିବା ବିଦେଶୀ ପକ୍ଷୀଙ୍କ ଗଣନା ରିପୋର୍ଟ ଅନୁସାରେ ଚଳିତବର୍ଷ ସର୍ବାଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। ୨୦୧୬-୧୭ରେ ୭୬,୨୬୮, ୨୦୧୭-୧୮ରେ ୧,୧୨,୯୩୭, ୨୦୧୮-୧୯ରେ ୧,୦୯,୦୫୯, ୨୦୧୯-୨୦ରେ ୧,୧୮,୩୨୬, ୨୦୨୦-୨୧ ବର୍ଷରେ ୧,୩୬,୦୯୨ ବିଦେଶାଗତ ପକ୍ଷୀ ଆସିଥିବା ଜଣାପଡିଥିଲା।