କରୋନା ନେଇଛି ୧୮୫ଯବାନଙ୍କ ଜୀବନ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ଯୋଗୁ ଦେଶରେ କେବଳ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ବରଂ ଭାରତୀୟ ସେନାଙ୍କ ବି ଜୀବନ ଯାଇଛି। କରେନା ଯୋଗୁ ଅନେକ ଯବାନ ନିଜର ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଯୋଗୁ କେତେ ଯବାନଙ୍କ ଜୀବନ ଯାଇଛି ସେନେଇ ସରକାର ସୋମବାର ପାର୍ଲାମେଣ୍ଟରେ ତଥ୍ୟ ରଖିଛନ୍ତି। ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣ ଯୋଗୁ ୩ ସେନା ମଧ୍ୟରୁ ୧୮୫ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ସେନାର ୧୩୪ଜଣ, ନେଭିରୁ ୪ ଏବଂ ଏୟାର ଫୋର୍ସରୁ ୪୭ଜଣ ପ୍ରାଣ ହରାଇଛନ୍ତି। ଏଥିସହ ସେନାର ମୋଟ ୪୨,୯୫୦ଜଣ ଯବାନ, ନେଭିର ୬,୮୦୮ ଏବଂ ଏୟାର ଫୋର୍ସର ୧୪,୬୦୪ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶର ହିତରେ ଏବଂ ସେନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଯବାନଙ୍କ ଟିକାକରଣ ଠିକ୍‌ ସମୟରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଦେଶର ସମସ୍ତ ସେନାଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି ବୋଲି ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

Share