ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଓ ଶୁକ୍ରବାର ଦୁଇଦିନ ମଧ୍ୟରେ ସହରର ୨୪ ହଜାର ୪୬୨ଘରର ପରିବାର ଲୋକଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଛି। ଦୁଇଦିନ ମଧ୍ୟରେ ଥର୍ମୋ ସ୍କ୍ରିନିଂ ଓ ଅକ୍ସିମିଟର ଜରିଆରେ ୧୮୧ ଜଣଙ୍କଠାରେ ଲକ୍ଷଣ ଚିହ୍ନଟ ହୋଇଛି। ସେଥିମଧ୍ୟରେ ୧୨୬ ଜଣଙ୍କ ଥର୍ମାଲ ସ୍କ୍ରିନିଂ ଓ ୫୫ ଜଣ ଅକ୍ସିମିଟର ଦ୍ୱାରା କରୋନା ସମ୍ପର୍କିତ ଲକ୍ଷଣ ଚିହ୍ନଟ କରାଯାଇଛି। ସେହିପରି ୨୫୦୬ ଜଣଙ୍କଠାରେ ମଧୁମେହ, ରକ୍ତଚାପ, ଟିବିି ଭଳି ବିିଭିନ୍ନ ରୋଗ ଥିବା ଚିହ୍ନଟ କରାଯାଇଛି। ଦୁଇଦିନରେ ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚାଯାଇଛି।
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟାକୁ ପ୍ରତିହତ ତଥା କରୋନା ସଂକ୍ରମିତଙ୍କ ଚହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନେଇ ଗୁରୁବାରଠାରୁ ବିଏମ୍‌ସି ପକ୍ଷରୁ ସହରରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସ୍କ୍ରିନିଂ ଅଭିଯାନ ଆରମ୍ଭ ହୋଇଛି। ୫ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଏମ୍‌ସି ପକ୍ଷରୁ ଆୟୁଷ ଡାକ୍ତର, ସ୍ବଚ୍ଛସାଥୀ, ଆଶା, ଏଏନ୍‌ଏମ୍‌ଙ୍କୁ ନେଇ ଗଠିତ ୯୯ ସ୍ବାସ୍ଥ୍ୟ ଟିମ୍‌କୁ ନିୟୋଜିତ କରାଯାଇଛି। କରୋନା ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରିବା ନେଇ ସ୍ବାସ୍ଥ୍ୟ ସ୍କ୍ରିନିଂରେ ଆଇଆର ଥର୍ମୋମିଟର ସହ ପଲସ୍‌ ରେଡ୍‌ ମାପିବା ଯନ୍ତ୍ର ଅକ୍ସିମିଟର ବ୍ୟବହାର କରାଯାଇଛି।