ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍ଚାଟ୍ ଏବଂ ହ୍ବାଟ୍ସଆପ୍ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଇଛି। ଏପରି କି ଶତାଧିକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ଜିଲାରେ। ଏହି ଘଟଣାରେ ସେଠାକାର ପୋଲିସ ମଙ୍ଗଳବାର ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିଛି। ସେ ହେଲେ ଆୟାନ ଅହମ୍ମଦ ତନଭୀର ଅହମ୍ମଦ। ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅମରାବତୀ ଗ୍ରାମାଞ୍ଚଳ ଏସ୍ପି ବିଶାଲ ଆନନ୍ଦ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଛନ୍ତି। ଏହି ଟିମ୍ରେ ୧୧ ଜଣ ପୋଲିସ ଅଧିକାରୀ ଏବଂ ୩୬ ଜଣ କନ୍ଷ୍ଟେବଲ ରହିଛନ୍ତି। ଜଣେ ସହକାରୀ ପୋଲିସ ଅଧୀକ୍ଷକ (ଏଏସ୍ପି) ଏହି ତଦନ୍ତର ନେତୃତ୍ୱ ନେଉଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଧିକାଂଶ ପୀଡ଼ିତା ନାବାଳିକା। ଅଭିଯୁକ୍ତ ସେମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବଦନାମ କରିବା ପାଇଁ ଏହାକୁ ଅନ୍ଲାଇନରେ ଭାଇରାଲ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ଧାରା ୨୯୪, ପୋକ୍ସୋ ଆକ୍ଟର ଧାରା ୮ ଓ ୧୨ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା କୌଣସି ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକ ଥାନାରେ ସିଧାସଳଖ ଅଭିଯୋଗ କରିନାହାନ୍ତି। ତେଣୁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଯେ, ପୀଡ଼ିତାଙ୍କ ପରିବାର ଆଗକୁ ଆସି ତଦନ୍ତରେ ସହଯୋଗ କରନ୍ତୁ। ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।
ରାଜ୍ୟ ସଭା ଏମ୍ପି ଅନିଲ ବୋଣ୍ଡେ କହିିଛନ୍ତି ଯେ, ଏହା ପଛରେ ଏକ ବଡ଼ ଗ୍ୟାଙ୍ଗର ହାତ ରହିଛି। ଏହି ଗ୍ୟାଙ୍ଗ ସ୍ନାପ୍ଚାଟ୍ ଏବଂ ହ୍ବାଟ୍ସଆପ୍ ଗ୍ରୁପ୍ ଜରିଆରେ ଏଭଳି ଅପରାଧ ଘଟାଉଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଜବତ କରାଯାଇ ଅଧିକ ପ୍ରମାଣ ପାଇଁ ଯାଞ୍ଚ କରାଯାଉଛି।