ଉଦ୍ଧାର ହେଲେ ୧୮ ଦାଦନ ଶ୍ରମିକ

ଲାଠୋର,୨ା୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ପିପଲବାହାଲର ଜଣେ ଦାଦନ ସର୍ଦ୍ଦାରଙ୍କ ଫାର୍ମ ହାଉସରୁ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ୧୮ଜଣ ଦାଦନ ଶ୍ରମିକ ଓ ୬ ଶିଶୁଙ୍କୁ ଉଦ୍ଧାର କରିଛି। ସର୍ଦ୍ଦାର ମୁଜିବ ଖାନ ନୂଆପଡ଼ା ଜିଲା ଉଡ଼ାର ଏବଂ ଅନୁଗୋଳ ଜିଲା ରାଇଝଡ଼ାଙ୍ଗ ଗ୍ରାମର ଏହି ଶ୍ରମିକଙ୍କୁ ଆଣି ପିପଲବାହାଲ ଗ୍ରାମସ୍ଥିତ ନିଜ ଫାର୍ମ ହାଉସ୍‌ରେ ରଖିଥିଲେ।

କୌଣସି ସୂତ୍ରରୁ ଖବର ପାଇ ଲାଠୋର ଥାନା ଅଧିକାରୀ ରବିବାର ବିଳମ୍ବିତ ରାତିରେ ଉକ୍ତ ଫାର୍ମ ହାଉସରେ ଚଢାଉ କରିଥିଲେ। ଚଢାଉ ଖବର ପାଇ ଦାଦନ ସର୍ଦ୍ଦାର ଫେରାର ହୋଇ ଯାଇଥିବା ବେଳେ ତାଙ୍କ ପୁଅ ଅସପାଖ ଖାନ୍‌ ଧରା ପଡ଼ିଥିଲେ। ଶ୍ରମିକମାନଙ୍କୁ ସେଠାରୁ ଉଦ୍ଧାର ପରେ ଠିକଣା ପଚାରି ପୋଲିସ ସେମାନଙ୍କ ଘରକୁ ଛାଡ଼ିବାର ବ୍ୟବସ୍ଥା କରିଥିଲା।

ଶ୍ରମିକ ଚାଲାଣ ଅଭିଯୋଗରେ ଲାଠୋର ଥାନା ପୋଲିସ ଦଫା ୩୭୦, ୩୭୪, ୪୨୦, ୩୪ ଆଇପିସି ଏବଂ ୨୫ ଆଇଏସଏମଡ଼ବ୍ଳୁ ଆକ୍ଟରେ ଏକ ମାମଲା(୧୪୩/୨୩)ରୁଜୁ କରି ଅସପାଖଙ୍କୁ ସୋମବାର ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।