୧୮ ସଦସ୍ୟଙ୍କୁ କରୋନା: ‘ଡ୍ୟାନ୍ସ ଦିଓ୍ବାନେ ୩’ର ଶୁଟିଂ ବାତିଲ

ବମ୍ବେ: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଶୁଟିଂ ଆରମ୍ଭ କରିଥିଲେ ବଲିଉଡ୍‌ ତଥା ଟେଲି ପରଦାର କଳାକାର। ହେଲେ ସେମାନଙ୍କ ଚିନ୍ତା ବଢ଼ାଇଲାଣି ମହାମାରୀର ଦ୍ୱିତୀୟ ଲହର। କାରଣ ଜଣଙ୍କ ପରେ ଜଣେ ଅଭିନେତା ନଚେତ ସହାୟକ କର୍ମଚାରୀ ହେଉଛନ୍ତି କରୋନା ସଂକ୍ରମିତ। ଏହି କ୍ରମରେ ଟେଲିଭିଜନ୍‌ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିଓ୍ବାନେ-୩’ ସେଟ୍‌ର ୧୮ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଶୋ’ ସହ ଜଡ଼ିତ ଅନ୍ୟମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

‘ଡ୍ୟାନ୍ସ ଦିଓ୍ବାନେ-୩’ର ବିଚାରପତି ଆସନରେ ଅଛନ୍ତି ଏଭରଗ୍ରୀନ୍‌ ମାଧୁରୀ ଦିକ୍ଷିତ, ତୁଷାର କାଳିଆ ଏବଂ ଧର୍ମେଶ। ଏହାକୁ ରାଘବ ଜୁୟାଲ ହୋଷ୍ଟ କରୁଛନ୍ତି। ଶୋ’ ବନ୍ଦ ହୋଇଯିବା ଆଶଙ୍କାରେ ନିର୍ମାତାମାନେ ଏବେ ଶୁଟିଂ ବାତିଲ କରିବା ସହ ତୁରନ୍ତ ବିକଳ୍ପ ଚୟନରେ ବ୍ୟସ୍ତ ଥିବା କୁହାଯାଉଛି।

ପୂର୍ବରୁ ‘ତାରକ ମେହତା କା ଉଲଟା ଚଷମା, ଅନୁପମା, ଭାବିଜୀ ଘର ପର ହୈ, ଗୁମ ହେ କିସି କେ ପ୍ୟାର ମୈ’ ସେଟ୍‌ରେ କରୋନା ମାମଲା ସାମ୍ନାକୁ ଆସିସାରିଛି। କଲର୍ସ ଚ୍ୟାନେଲରେ ପ୍ରସାରିତ ଅନ୍ୟତମ ଧାରାବାହିକ ‘ମୋଲକୀ’ର ପ୍ରମୁଖ ଭୂମିକାରେ ନଜର ଆସୁଥିବା ଅମର ଉପାଧ୍ୟାୟ ଏବଂ ପ୍ରିୟାଲ ମହାଜନ କରୋନାରେ ସଂକ୍ରମିତ ହୋଇଥିଲେ।

Share