ବୁଢ଼ୀ ଠାକୁରାଣୀ ମନ୍ଦିରକୁ ୧୮.୯୧ କୋଟି

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠର କାୟାକଳ୍ପ ବଦଳିବ। ମନ୍ଦିର ସମ୍ପୂର୍ଣ୍ଣ ନୂଆ ରୂପରେ ଝଲସିବ। ଏଥିଲାଗି ଦୁଇ ପର୍ଯ୍ୟାୟରେ ମୋଟ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ ସଂକ୍ରାନ୍ତ ମନ୍ଦିର ବିକାଶ ଯୋଜନାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ କେବଳ ଗଞ୍ଜାମ କିମ୍ବା ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ । ମା’ଙ୍କ ପୀଠକୁ ଦୈନିକ ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସିଥାଆନ୍ତି। ତେଣୁ ମନ୍ଦିର ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ମୁଖ୍ୟ ମନ୍ଦିରର ବିକାଶ କରାଯିବ। ମନ୍ଦିର କାନ୍ଥ ଓ ଚଟାଣରେ ପଥର ବିଛାଯିବ। ଯଜ୍ଞକୁଣ୍ଡ, ମନ୍ଦିର କାର୍ଯ୍ୟାଳୟ ପୁନନିର୍ମାଣ ହେବ। କଳିଙ୍ଗ ସ୍ଥାପତ୍ୟରେ ମନ୍ଦିରକୁ ସୁଶୋଭିତ କରାଯିବ। ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ହସ୍ତପଦ ପ୍ରକ୍ଷାଳନ ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ, ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ୍‌, ପୂଜକମାନଙ୍କ ପାଇଁ ଗୃହ, ରୋଷଘର, ଭୋଗମଣ୍ଡପ ନିର୍ମାଣ ହେବ। ଆକର୍ଷଣୀୟ ଆଲୋକସଜ୍ଜା ବ୍ୟବସ୍ଥା ହେବ। ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ଲ୍ୟାଣ୍ଡସ୍କେପିଂ ସହ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ନିକଟରେ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ପୀଠର ବିକାଶ ସମ୍ପର୍କରେ ପୂଜକ, ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧି ଓ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ।

Share