Categories: ଜାତୀୟ

ଲକ୍ଷେ ୭୫ ହଜାର ଗରିବଙ୍କ ଗୃହ ପ୍ରବେଶ

ନୂଆଦିଲ୍ଲୀ, ୧୨।୯: ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ଲକ୍ଷେ ୭୫ ହଜାର ଗରିବଙ୍କୁ ରହିବା ପାଇଁ ଘର ଯୋଗାଇ ଦିଆଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି। ରାଜ୍ୟର ଗରିବ ଗୃହ ପ୍ରବେଶ କରିଥିବାରୁ ମୋଦି ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଚଳିତ ଦୀପାବଳି ଏକ ନିଆରା ଉତ୍ସବ ହେବ। ଏହି ସମୟରେ ଗୃହ ପ୍ରବେଶ କରିଥିବା ସମସ୍ତ ହିତାଧିକାରୀ ନିଜ ଘରେ ରହି ଆଲୋକର ପର୍ବ ପାଳନ କରିବେ। ଏହି ଅବସରରେ ମୋଦି କେତେକ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ପୂର୍ବରୁ ସରକାରଙ୍କ ପଛରେ ଗରିବଙ୍କୁ ଦୌଡ଼ିବାକୁ ପଡୁଥିଲା। ମାତ୍ର ଏବେ ସରକାର ଗରିବଙ୍କ ପାଖରେ ପହଞ୍ଚୁଛନ୍ତି ବୋଲି ମୋଦି କହିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ଦେଶରେ ବିକାଶ କାର୍ଯ୍ୟ ଅଟକି ଯାଇନାହିଁ ବୋଲି ମୋଦି କହିଛନ୍ତି। ଘରଗୁଡ଼ିକ ୧୨୫ ଦିନ ପରିବର୍ତ୍ତେ କମ୍‌ ସମୟ ମଧ୍ୟରେ ନିର୍ମିତ ହୋଇଛି। ୪୫ରୁ ୬୦ ଦିନରେ ଗୋଟିଏ ଗୋଟିଏ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନା ତାହାର ଉଦାହରଣ ବୋଲି ମୋଦି ଟୁଇଟ୍‌ କରି କହିଛନ୍ତି। ଇତିମଧ୍ୟରେ ମଧ୍ୟପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟରେ ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନା ଅନ୍ତର୍ଗତ ୨୩ ହଜାର କୋଟି ଟଙ୍କା ବ୍ୟୟ ହୋଇଥିବା ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଗ୍ରାମୀଣ ଏବଂ ସହରରେ ବାସ କରୁଥିବା ଗରିବଙ୍କୁ ଘର ଯୋଗାଇ ଦେବା ଲାଗି ଏହି ଯୋଜନା ୨୦୧୫ରେ ପ୍ରଣୟନ କରାଯାଇଥିଲା। ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶର ୨ କୋଟି ଗରିବଙ୍କୁ ଘର ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ।

Share