Categories: ଜାତୀୟ

ଚାରଧାମ ଯାତ୍ରା: ୪୬ ଦିନରେ ଗଲାଣି ୧୭୫ ପ୍ରାଣୀଙ୍କ ଜୀବନ

ଋୁଦ୍ରପ୍ରୟାଗ,୨୩ ।୬: କେଦାରନାଥ ଯାତ୍ରାରେ ପ୍ରାଣୀଙ୍କ ମୃତ୍ୟୁ ଲଗାତାର ଜାରି ରହିଛି । କଥା କହିପାରୁ ନ ଥିବା ଏହି ପ୍ରାଣୀ ମାଲିକଙ୍କ ପଟେକ ଭରିବା ପରେ ମୃତ୍ୟୁ କୋଳକୁ ଚାଲିଯାଉଥିଲେ ବି ଏଥିପ୍ରତି ଯେମିତି କାହାର ନଜର ନାହିଁ । ମିଳିଥିବା ସୂଚନା ଅନୁଯାୟୀ, କେଦାରନାଥ ଯାତ୍ରାରେ ଚଳିତବର୍ଷ ଘୋଡା-ଖଚ୍ଚରରୁ ପାଖାପାଖି ୫୬ କୋଟି ଟଙ୍କା ଆୟ ହେଲାଣି । ଏହାପରେ ବି ଏମାନଙ୍କ କଷ୍ଟ ଲାଘବ କରିବାକୁ ଯେମିତି କାହାର ନଜର ପଡୁନାହିଁ । ଏହି ପ୍ରାଣୀଗୁଡିକଙ୍କ ଉପରେ ଅମାନବୀୟ ଭାବରେ ଯେମିତି ଜିନିଷ ପତ୍ର ଓ ଯାତ୍ରୀଙ୍କୁ ବୁହା ଚାଲିଛି ତାହା ପ୍ରାଣୀପ୍ରେମିକୁ ଆଘାତ ଦେଉଛି । କୁହାଯାଉଛି କି ଗତ ୪୬ ଦିନ ମଧ୍ୟରେ ଯାତ୍ରୀଙ୍କ ପାଇଁ ନିୟୋଜିତ ହୋଇଥିବା ପ୍ରାୟ ୧୭୫ ପ୍ରାଣୀଙ୍କ ଜୀବନ ଗଲାଣି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଗୌରିକୁଣ୍ଡରୁ କେଦାରନାଥ ପାଇଁ ୮୫୧୬ ଘୋଡା-ଖଚ୍ଚରଙ୍କ ପଞ୍ଜିକରଣ କରାଯାଇଥିଲା । ବହୁ ସଂଖ୍ୟାରେ ଯାତ୍ରୀ ଏହି ୧୬ କିଲୋମିଟର ଦୁର୍ଗମ ରାସ୍ତାକୁ ଖୋଡା-ଖଚ୍ଚର ସହାୟତାରେ ପାର କରିଥାଆନ୍ତି । ଏବେ ପର୍ଯ୍ୟନ୍ତ ୨,୬୮,୮୫୮ ଯାତ୍ରୀ ଘୋଡା-ଖଚ୍ଚର ମାଧ୍ୟମରେ କେଦାରନାଥ ପହଞ୍ଚି ଦର୍ଶନ କରି ସାରିଲେଣି । ଏହି ସମୟରେ ୫୬ କୋଟି ଟଙ୍କାର ବ୍ୟବସାୟ ବି ହୋଇ ସାରିଲାଣି । ଜିଲା ପଞ୍ଚାୟତକୁ ପଞ୍ଜିକରଣ ଶୁଳ୍କ ଭାବେ ପାଖାପାଖି ୨୯ ଲକ୍ଷ ଟଙ୍କା ମିଳି ସାରିଲାଣି ।
ଏହାପରେ ବି ଏହି କଥା କହିପାରୁ ନ ଥିବା ପ୍ରାଣୀଙ୍କ ପାଇଁ ଚଲାବାଟରେ କିଛି ସୁବିଧା କରାଯାଇ ନାହିଁ । ତେବେ ଏମାନଙ୍କୁ ଗୋଟିଏ ଥର ଯିବାର ଅନୁମତି ଥିବା ବେଳେ ଲୋଭରେ ମାଲିକମାନେ ଘୋଡା-ଖଚ୍ଚରଙ୍କୁ ୨-୩ ରାଉଣ୍ଡ ଚକ୍କର ଲାଗଇବାରୁ ଏମାନଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ସହ ଏମାନଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି ।

Share