Categories: ଜାତୀୟ

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୭୪ କି.ମି. ନିର୍ମାଣ ବାକି

ନୂଆଦିଲ୍ଲୀ,୮।୧୨: ୨୮୯ କି.ମି. ବିିଶିଷ୍ଠ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୫ କି.ମି. ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୭୪ କି.ମି. ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାକୁ ଅବଗତ କରାଇଛନ୍ତି। ଲୋକ ସଭାରେ ବିଜେଡି ସଦସ୍ୟ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଷ୍ଣବ କହିଛନ୍ତି, ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପର ଆଉ ମାତ୍ର ୧୧୫.୬୬ କି.ମି. ଧାରଣା ନିର୍ମାଣ ବାକି ଅଛି। ପ୍ରଥମ ଭାଗରେ (୦-୧୧୨ କି.ମି.) ରେଳପଥ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ଯୋଗାଇ ଦେଇଥିବାବେଳେ ଦ୍ୱିତୀୟ ଭାଗ (୧୧୨-୨୮୯ କି.ମି.) ଲାଇନ୍‌ ନିର୍ମାଣ ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହେଉଛି।

ଓଡ଼ିଶା ସରକାର ଏଥିପାଇଁ ମାଗଣାରେ ଜାଗା ଯୋଗାଇଦେବା ସହ ନିର୍ମାଣର ୫୦% ଅର୍ଥ ବହନ କରିବେ। ଏହି ମେଗା ପ୍ରୋଜେକ୍ଟରେ ୩,୭୯୨ କୋଟି ଟଙ୍କା ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ୨,୧୦୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୧-୨୨ ଆର୍ଥିକବର୍ଷରେ ଉକ୍ତ ପ୍ରୋଜେକ୍ଟରେ ୩୭୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

Share