ହୋଟେଲରୁ ୧୭୪ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୨ ଗିରଫ

ଆଠଗଡ଼,୨୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ରାଧାପତିପୁରସ୍ଥିତ ପାରିଜାତ ହୋଟେଲରୁ ରବିବାର ୧୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ)ଟିମ୍‌ ପକ୍ଷରୁ ଚଢ଼ାଉ କରି ହୋଟେଲ ମାଲିକଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। କୋଭିଡ୍‌ ଟେଷ୍ଟ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ହୋଟେଲ ମାଲିକ ପ୍ରଶାନ୍ତ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ବିକାଶ କୁମାର ସ୍ବାଇଁ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି। ଏନେଇ ଆଠଗଡ଼ ଥାନାରେ ଧାରା ୨୧ (ବି) ଏନ୍‌ ଡି ପିଏସ୍‌ ଆକ୍ଟ ଅନୁସାରେ ମାମଲା (ନଂ.୩୪/୨୧)ରୁଜୁ ହୋଇଛି। ଗତ କିଛି ଦିନ ହେବ ଆଠଗଡ଼ ଅଞ୍ଚଳରେ ଚୋରା ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏନେଇ ଏସ୍‌ଟିଏଫ୍‌ ପୂର୍ବରୁ ଏହି ଅଞ୍ଚଳ ଉପରେ ନଜର ରଖିଥିଲା। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏହାର ସ୍ବତନ୍ତ୍ର ଟିମ୍‌ ହଠାତ୍‌ ପାରିଜାତ ହୋଟେଲ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତମାନଙ୍କଠାରୁ ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ଓଜନ ମେଶିନ ସମେତ ନଗଦ ୬୩୮୦ ଟଙ୍କା ଜବତ କରାଯାଇଛି। କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ଆଠଗଡ଼ ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି, ଏସ୍‌ଟିଏଫ୍‌ ଅଭିଯୁକ୍ତମାନଙ୍କୁ ଆଠଗଡ଼ ପୋଲିସକୁ ହସ୍ତାନ୍ତର କରିବା ପରେ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।