ବଳି ପଡ଼ିବ ୧୭୨୩ ଗଛ

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯିବା ପରେ ଏହାର ସମ୍ପ୍ରସାରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଭୂମି ଅଧିଗ୍ରହଣ, ଗଛକଟା, ହାତୀ ଚଲାପଥ ଆଦିକୁ ନେଇ ରହିଥିବା ସମସ୍ୟା ଦୂର ହେବା ପରେ ଗୁରୁବାରଠାରୁ ବନ୍ଧମୁଣ୍ଡା ମୁଖ୍ୟମାର୍ଗରୁ ଗଛକଟା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଦୀର୍ଘ ୮/୧୦ ବର୍ଷ ବାଦବିବାଦ ପରେ ବନ୍ଧମୁଣ୍ଡା-ଜରେଇକେଲା ଏନଏଚ-୩୨୦ଡି ଜାତୀୟ ରାଜପଥ ବିଭାଗ ଅଧୀନକୁ ଆସିଥିଲା। ମାତ୍ର ନିର୍ମାଣ କାର୍ଯ୍ୟରେ ବନ ବିଭାଗର ସର୍ତ୍ତାବଳୀ ବାଧକ ସାଜିଥିଲା। ବନ ବିଭାଗ ଦେଇଥିବା ସର୍ତ୍ତ ଉପରେ ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ରାସ୍ତାକାମ ଆରମ୍ଭ ହୋଇପାରି ନ ଥିଲା। ଶେଷରେ ବନ ବିଭାଗର ସମସ୍ତ ସର୍ତ୍ତାବଳୀ ଜାତୀୟ ରାଜପଥ ବିଭାଗ ମାନିନେବା ପରେ ବର୍ତ୍ତମାନ ରାସ୍ତା ପାର୍ଶ୍ୱସ୍ଥ ବୃକ୍ଷକଟା ଆରମ୍ଭ ହୋଇଛି। ରାସ୍ତା ନିର୍ମାଣରେ ସମୁଦାୟ ୧୭୨୩ ବୃକ୍ଷ କଟାଯିବାକୁ ଥିବାବେଳେ ସବୁ ବୃକ୍ଷର ମାର୍କିଂ ସରିଯାଇଛି। ୧୧ଶହରୁ ଊର୍ଦ୍ଧ୍ୱ ବିଶାଳକାୟ ଆମ୍ବ, ଲିମ୍ବ, ତେନ୍ତୁଳି ପ୍ରଜାତି ବୃକ୍ଷ କଟାଯିବ ବୋଲି ଜଣାପଡିଛି। ଏ ନେଇ ରାଉରକେଲାସ୍ଥିତ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ, ଏନ୍‌ଏଚ-୩୨୦ଡି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଯାଇଥିଲା। କେବଳ ଭୂମି ଅଧିଗ୍‌ହଣ ଓ ବନ ବିଭାଗ ମଞ୍ଜୁରୀ ବାକି ରହିଥିଲା। ବର୍ତ୍ତମାନ ବନ ବିଭାଗର ସମସ୍ତ ସର୍ତ୍ତ ସ୍ବୀକାର କରାଯିବା ପରେ ବୃକ୍ଷକଟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ରାଜପଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ ବୋଲି ସେ କହିଥିଲେ। ଏ ନେଇ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ଆମର ଯାହା କିଛି ସର୍ତ୍ତ ଥିଲା ତାହା ସବୁ ବିଭାଗ ପକ୍ଷରୁ ପୂରଣ କରିବାକୁ ରାଜି ହେବାରୁ ଗଛକାଟ ପାଇଁ ମଞ୍ଜୁରୀ ଦିଆଯାଇଛି ବୋଲି ସେ କହିଥିଲେ।