୧୭୦୦ ଟଙ୍କାରୁ ୧୭ ଲକ୍ଷ

ଢେଙ୍କାନାଳ ଅଫିସ, ୧୮।୧୦: ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରୁଛି ଢେଙ୍କାନାଳର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ଅରବିନ୍ଦ ବଜାର ମହିଷାପାଟ। ଦୀର୍ଘ ଦୁଇବର୍ଷ ପରେ ମା’ଙ୍କ ପୂଜା ବିନା କଟକଣାରେ ହେଉଥିବାବେଳେ ଏହାକୁ ନେଇ ମଣ୍ଡପର କର୍ମକର୍ତ୍ତାଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ବିପୁଳ ଉତ୍ସାହ।
୧୯୯୭ରେ ଅରବିନ୍ଦ ବଜାରରେ ପ୍ରଥମେ ପୂଜା ଅନୁଷ୍ଠିତ ହୋଇଥିଲା। ସେହିବର୍ଷ ଖର୍ଚ୍ଚ ହୋଇଥିଲା ମାତ୍ର ୧୭୦୦ ଟଙ୍କା। ପ୍ରତିଯୋଗିତାମୂଳକ ପୂଜାରେ ବଜେଟ ଏବେ ୧୭ ଲକ୍ଷ ଟଙ୍କା ଛୁଇଁଲାଣି। ଚଳିତବର୍ଷ ମଣ୍ଡପରେ ମା’ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ସେହିପରି ରୌପ୍ୟ ଜୟନ୍ତୀ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଗୁରୁବାର ମା’ଙ୍କ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାଇଚାରା ବଜାୟ ରଖି ଅରବିନ୍ଦ ବଜାର ଅଞ୍ଚଳବାସୀ ପୂଜାରେ ସାମିଲ ହୋଇଛନ୍ତି।