୧୭୦ କି.ମି. ବ୍ୟାପ୍ତ ମେଗାସିଟି ‘ନେଓମ୍‌’

ରିୟାଧ, ୨୨ା୧୦: ବିଶ୍ୱର ସବୁଠାରୁ ବିରାଟ ବାଲି ମରୁଭୂମି ଭାବେ ଜଣାଯାଉଥିବା ସାଉଦି ଆରବ ବର୍ତ୍ତମାନ ତେଲ କିମ୍ବା ଓଢ଼ଣାରେ ରହୁଥିବା ମହିଳାଙ୍କ ପାଇଁ ନୁହେଁ ବରଂ ମେଗା ସହର ଲାଗି ବିଶ୍ୱରେ ପରିଚିତି ହାସଲ କରିବାକୁ ଯାଉଛି। ୧୭୦ କି.ମି ପରିମିତ ଜାଗାରେ ଏହି ବିଶାଳ ସହର ତିଆରି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ମେଗା ସହରର ନାମ ନେଓମ୍‌ ରଖାଯାଇଥିବାବେଳେ ତାବୁକ ପ୍ରଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଏହା ନିର୍ମାଣ କରାଯାଉଛି। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏହାର ନିର୍ମାଣ କରାଯିବ, ଯେଉଁଠାରେ ଫ୍ଲାଇଂ ଟାକ୍ସି ସାଙ୍ଗକୁ ଘର ସହାୟକ ଭାବେ ରୋବୋମାନେ କାର୍ଯ୍ୟ କରିବେ। ୨୦୧୭ରେ ସାଉଦି ଆରବ ସରକାର ପ୍ରଥମଥର ପାଇଁ ଏହି ମେଗା ପ୍ରୋଜେକ୍ଟ ବାବଦରେ ଘୋଷଣା କରିଥିଲେ। ବହୁ ଆର୍କିଟେକ୍‌ ଓ ଅର୍ଥନୀତିଜ୍ଞ ମେଗାସିଟି ନିର୍ମାଣକୁ ନେଇ ବହୁ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ବର୍ତ୍ତମାନ ନେଓମ୍‌ର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଆରମ୍ଭ ହୋଇଯାଇଥିବାବେଳେ ଏହାର ଭିଡିଓ ମଧ୍ୟ ଜାରି କରାଯାଇଛି।
ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିବାବେଳେ ଅନେକଗୁଡ଼ିଏ ଟ୍ରକ୍‌ ବିଭିନ୍ନ ପ୍ରକାର ମେଶିନ୍‌ ସହର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ନେଓମ୍‌ରେ ସୋଲାର, ଓ୍ବାଇଣ୍ଡ ଏବଂ ହାଇଡ୍ରୋଜେନ୍‌ ଏନର୍ଜି ବ୍ୟବହାର କରାଯିବା ସହ ଉକ୍ତ ସୁବିଧା ଉପଲବ୍ଧରେ ଏହା ବିଶ୍ୱର ପ୍ରଥମ ସହର ସାବ୍ୟସ୍ତ ହେବ ବୋଲି ସାଉଦି ପ୍ରିନ୍ସ ମହମ୍ମନ ବିନ୍‌ ସଲମାନ୍‌ କହିଛନ୍ତି।
ପ୍ରିନ୍ସ ସଲମାନ୍‌ ନେଓମ୍‌ରେ ଦୁଇଟି ନଭଶ୍ଚୁମ୍ବି କୋଠା ତିଆରି କରିବାର ଯୋଜନା କରିଛନ୍ତି। ଏହି ବିଲ୍ଡିଂର ଉଚ୍ଚତା ୫୦୦ ମିଟର ଅର୍ଥାତ୍‌ ୧,୬୪୦ ଫୁଟ୍‌ ରଖାଯିବ। ଏହି ମେଗାସିଟିର ପ୍ରସ୍ଥ ୨୦୦ ମିଟର ରଖାଯାଇଥିବାବେଳେ ଲମ୍ବ ୧୭୦ କିଲୋମିଟର ରହିବ। ସେହିପରି ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୫୦୦ ମିଟର ରଖାଯିବା ଜଣାପଡ଼ିଛି। ତେବେ ଏହି ସହରରେ କୌଣସି ସଡ଼କ ରଖାଯିବ ନାହିଁ। ସହରରେ ୧୦୦% ରିନ୍ୟୁଏବୁଲ ଏନର୍ଜିରେ ପରିଚାଳିତ ହେବାକୁ ଥିବାବେଳେ ୯୫% ଲ୍ୟାଣ୍ଡ ପ୍ରକୃତି ପାଇଁ ପ୍ରିଜର୍ଭ କରି ରଖାଯିବାର ଯୋଜନା ରହିଛି। କୃତ୍ରିମ ଜହ୍ନର ଆଲୋକରେ ଏହି ବିରାଟ ସହର ଆଲୋକିତ ହେବ। ସହରଟି ଏକ ପ୍ଲେଗ୍ରାଉଣ୍ଡର ଅନୁଭୂତି ହେବ ବୋଲି କୁହାଯାଉଛି।

Share