Categories: ଜାତୀୟ

୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲରେ ଯୌନ ନିର୍ଯାତନା

ଲକ୍ଷ୍ନୌ,୭।୧୨: ଦଶମ ଶ୍ରେଣୀର ୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ୧୮ ତାରିଖରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏହି ଘଟଣା ଘଟିଥିଲା ମଧ୍ୟ ପୋଲିସ ଏଫ୍‌ଆଇଆର ରଖିବାକୁ ମନା କରି ଦେଇଥିଲା। ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ହିଁ ପୋଲିସ ମାମଲା ରୁଜୁ କରିଥିବା ପୀଡ଼ିତା ଛାତ୍ରୀଙ୍କ ବାପା ମା’ ଅଭିଯୋଗ କରିଛନ୍ତି।

କାର୍ଯ୍ୟରେ ଅବହେଳା କାରଣରୁ ଆମେ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଛୁ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୨୮ (ମହିଳାଙ୍କ ମର୍ଯ୍ୟଦାହାନୀ କରିବା), ୩୫୮ (ବିଷ ଦେଇ କ୍ଷତି କରିବା), ୫୦୬ (ଅପରାଧିକ ଧମକ) ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୫ ଟିମ୍‌ ଗଠନ କରାଯାଇଥିବା ମୁଜାଫରନଗର ପୋଲିସ ମୁଖ୍ୟ ଅଭିଷେକ ଯାଦବ କହିଛନ୍ତି।

ପରଦିନ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୧୭ ଛାତ୍ରୀଙ୍କୁ ରାତିରେ ସ୍କୁଲରେ ରହି ପ୍ରସ୍ତୁତ କରିବାକୁ କହିଥିଲେ ସ୍କୁଲ ଅଧ୍ୟକ୍ଷ ଯୋଗେଶ। ରାତିରେ ଖେଚୁଡି ପ୍ରସ୍ତୁତ କରି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ। ଖେଚୁଡ଼ି ଖାଇବା ପରେ ଚେତା ହରାଇ ଥିଲେ ଛାତ୍ରୀମାନେ। ଏହାପରେ ଯୋଗେଶ ତାଙ୍କ ସାଥିଙ୍କ ସହ ମିଶି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଛାତ୍ରୀମାନଙ୍କୁ ଧମକ ଦିଆଯାଇଥବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।

Share