୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ କରିଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ପୋଲିସ ଓ ଅବକାରୀ ଦଳ ମିଳିତ ଚଢ଼ାଉ କରି ୩ ମଦ ଭାଟି ନଷ୍ଟ କରିଥିଲେ। ଏହାକୁ ପୁଣି କାର୍ଯ୍ୟକ୍ଷମ କରି ଦେଶୀ ମଦ ରନ୍ଧା ହେଉଥିବା ଗ୍ରାମବାସୀ ଜିଲା ଅବକାରୀ ଅଧୀକ୍ଷକ ଅରୁଣ କୁମାର ପାଢ଼ୀ, ନନ୍ଦପୁର ଅବକାରୀ ନିରୀକ୍ଷକ, ଓଆଇସି, ନନ୍ଦପୁର ଏସ୍‌ଡିପିଓ ଏବଂ ଥାନାଧିକାରୀଙ୍କୁ ସୂଚନା ଦେଇଥିଲେ। ଗୁରୁବାର ପୋଲିସ ଓ ଅବକାରୀ ଟିମ୍‌ ଭାଟିରେ ଚଢ଼ାଉ କରିଥିଲେ। ଉକ୍ତ ସ୍ଥାନରେ ମଦ ଭାଟି ନ ଥିବା ଓ କେବଳ କିଛି ଖାଲି ପ୍ଲାଷ୍ଟିକ ଡ୍ରମ ଥିବା ଉପରିସ୍ଥ ଅଧିକାରୀଙ୍କୁ ଦର୍ଶାଇଥିଲେ। ଶୁକ୍ରବାର ସକାଳୁ ଗ୍ରାମବାସୀ ମିଳିତ ଭାବେ ଭାଟିସ୍ଥଳ ପାର୍ଶ୍ୱ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ୧୭ ପ୍ଲାଷ୍ଟିକ ଡ୍ରମ୍‌ରେ ଦେଶୀମଦ ପୋଚ ଲୁଚାଯାଇଥିବା ଦେଖିଥିଲେ। ଏହାକୁ ଗ୍ରାମବାସୀ ଢାଳି ନଷ୍ଟ କରିଥିଲେ। ପୋଲିସ ଓ ଅବକାରୀ ଟିମ୍‌ର କାର୍ଯ୍ୟାନୁଷ୍ଠାନ ନେଇ ଗ୍ରାମବାସୀ ସନ୍ଦେହ କରିଛନ୍ତି। ଚଢ଼ାଉ ଟିମ୍‌ ଭାଟି ମାଲିକଙ୍କୁ ଭାଟିରେ ଗଚ୍ଛିତ ସାମଗ୍ରୀ ଲୁଚାଇବାକୁ ସହଯୋଗ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଦେଶୀ ମଦଭାଟି ଯୋଗୁ ଗ୍ରାମ ପରିବେଶ ଅଶାନ୍ତ ଥିବା ଗ୍ରାମବାସୀ କହିଛନ୍ତି। ପୋଲିସ ଓ ଅବକାରୀ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Share