ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଶୁକ୍ରବାର ସନ୍ଧ୍ୟା ସମୟରେ ବର୍ଷା ହୋଇଥିଲା । ଯାହାଫଳରେ ପବନର ବେଗ ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ସ୍ଥାନୀୟ ବ୍ଲକ ଅନ୍ତର୍ଗତ କରଚ଼ବାଡ଼ି ପଞ୍ଚାୟତ ଅଧିନ ଚାପଡ଼ପଙ୍କା ଗ୍ରାମ ନିକଟ ୩୨୬ ଜାତୀୟ ରାଜପଥ,ଶୁଖିଲାଆମ୍ବ ଛକ, ଅଡ଼ବା ପଞ୍ଚାୟତ ଅଧିନ ଗୁଣ୍ଡିମା ଗ୍ରାମ ଛକ ଆଦି ବିଭିନ୍ନ ସ୍ଥାନରେ ପ୍ରାୟ ୮ଟିରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ଗଛ ପଡ଼ିଯିବାରୁ କିଛି ଘଣ୍ଟା ପାଇଁ ଯାତାୟତ ଠପ ହୋଇଥିଲା । ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଥିଲା । ଖବର ପାଇ ମୋହନା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥାନ ଗୁଡ଼ିକରେ ପହଞ୍ଚି କଟର ମେଶିନ ଦ୍ବାରା ଗଛ ଗୁଡ଼ିକୁ କାଟି ରାସ୍ତା ଅବରୋଧ ହଟାଇଥିଲେ । କାଳବୈଶାଖି ସମୟରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କର କାହାର କିଛି କ୍ଷତି ଘଟି ନ ଥିବା ଜଣାପଡ଼ିଛି।