କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତିର ଶୁଭାରମ୍ଭ କରିଥିଲେ। ଏହାର ସିଧାପ୍ରସାରଣ କୋରାପୁଟ ସଦଭାବନା ସଭାଗୃହରେ ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ କରାଯାଇଥିଲା। କୋରାପୁଟ ଜିଲାର ୧୪ଟି ବ୍ଲକର ୮୮,୨୮୯ଜଣ ଚାଷୀଙ୍କୁ ମୋଟ ୧୭ କୋଟି ୮୮ ଲକ୍ଷ ୮୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାରକୁ ସାମିଲ କରାଯାଇଛି।

ସୂଚନା ମୁତାବକ, ଜିଲାର ୮୭,୨୮୧ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧୭ କୋଟି ୪୫ ଲକ୍ଷ ୬୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୧,୦୦୮ ଜଣ ଭୂମିହୀନ କୃଷି ପରିବାରଙ୍କୁ ୪୩ ଲକ୍ଷ ୨୦ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।

ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୯,୪୪୨ଜଣ ଏବଂ ବୋରିଗୁମ୍ମାରେ ୯,୩୨୧ଜଣ ହିତାଧିକାରୀ ରହିଛନ୍ତି। ଜୟପୁରରେ ୪,୨୮୫, କୋରାପୁଟରେ ୫,୬୨୮, ଲମତାପୁଟରେ ୭,୭୫୨, ନନ୍ଦପୁରରେ ୭,୭୦୧ ଏବଂ ସେମିଳିଗୁଡ଼ାରେ ୭,୭୧୨ ଜଣ ହିତାଧିକାରୀ ଅଛନ୍ତି।

କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ସ୍ବତନ୍ତ୍ର ଉନ୍ନୟନ କମିଟି ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ମୁଖ୍ୟ ଜିଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଅନ୍ତର୍ଯ୍ୟାମୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ଅଶୋକ ସେନାପତି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ଏବଂ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ଜିଲାର ବିଭିନ୍ନ ବ୍ଲକରୁ ୧୦୦ଜଣ ଚାଷୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସିଧାପ୍ରସାରଣ ଦେଖିଥିଲେ। ରବି ଚାଷ ପୂର୍ବରୁ ମିଳୁଥିବା ଏହି ଆର୍ଥିକ ସହାୟତା ଚାଷୀଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବାରେ ସହାୟକ ହେବ ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ସହିତ କୃଷି କ୍ଷେତ୍ରର ବିକାଶ ଦିଗରେ ସିଏମ-କିଷାନ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଚାଷୀଙ୍କୁ ଚାଷ ସମୟରେ ଆବଶ୍ୟକ ଆର୍ଥିକ ସହାୟତା ମିଳିବା ସହ କୃଷି କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

Share