Categories: ଜାତୀୟ

ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପର୍ଯ୍ୟନ୍ତ ଭାରତୀୟ ଦୂତାବାସର ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ତେବେ ବର୍ତ୍ତମାନ ଆଫଗାନିସ୍ତାନରେ ୧୬୫୦ ଭାରତୀୟ କାବୁଲରେ ରହିଛନ୍ତି। ସେମାନଙ୍କୁ ଏୟାର ଲିଫ୍ଟ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତୀୟମାନେ ଦୂତାବାସରେ ସହାୟତା ପାଇଁ ନିବେଦନ କରିଛନ୍ତି। ଭାରତୀୟଙ୍କ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହେଲ୍ପଲାଇନ ନମ୍ବର, ଇ-ମେଲ ଆଇଡି ଜାରି କରାଯାଇଛି। ଗାଜିପୁର, ଗାଜିଆବାଦ, ଉତ୍ତରାଖଣ୍ଡର ଦେହରାଡୁନ ଏବଂ ଦିଲ୍ଲୀ ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଆଫଗାନିସ୍ତାନରେ କାମ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ। ମାତ୍ର ଏବେ ସେମାନେ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାବୁଲ ବିମାନବନ୍ଦରରେ ଦଳାଚକଟା ହେବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏହାକୁ କିଛି ସମୟ ଲାଗି ବନ୍ଦ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି। ଆମେରିକା ଏବଂ ନାଟୋ ସୈନ୍ୟଙ୍କ ସାହାଯ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନାଯୋଗ୍ୟ ଯେ ତାଲିବାନ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ନିଶ୍ଚିତ କରାଯାଇଛି ଯେ କୌଣସି ବିଦେଶୀ କିମ୍ବା ସ୍ଥାନୀୟ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରାଯିବ ନାହିଁ। ଆମେରିକା ଅନୁଯାୟୀ ତାଲିବାନ ସହମତ ହୋଇଛି ଯେ ଯଦି କେହି ଦେଶ ଛାଡିବାକୁ ଚାହାଁନ୍ତି, ତେବେ ତାଙ୍କୁ ନିରାପଦରେ ଏଭଳି କରିବାକୁ ଦିଆଯିବ।

Share