ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ

ମହାକାଳପଡ଼ା,୩୦।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ବ୍ୟାପକ ଭାବେ ବ୍ୟବସାୟୀ ନିର୍ମାଣ କରିଛନ୍ତି। ଉପକୂଳ ଅଞ୍ଚଳର ସରକାରୀ ଜଙ୍ଗଲ ଜମିରେ ନିର୍ଭୟ ଭାବେ ଚିଙ୍ଗୁଡି ଚାଷ ହେଉଛି। ଚିଙ୍ଗୁଡି ଘେରି ନିର୍ମାଣ ଯୋଗୁ ଉପକୂଳବର୍ତ୍ତୀ ମୃତ୍ତିକା ଅବକ୍ଷୟ ଓ ଆର୍ଦ୍ରଭୂମି ପ୍ରତି ଘୋର ବିପଦ ସୃଷ୍ଟି ଦେଖାଦେବ। ଏହାଦ୍ୱାରା ଜଳ, ଜମି, ଜଙ୍ଗଲ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ପୂର୍ବରୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ ମିଳିବା ପରେ ଜିଲା ପ୍ରଶାସନ ପକ୍ଷରୁ ମହାକାଳପଡ଼ା ତହସିଲଦାର, ରାଜସ୍ବ, ବନବିଭାଗ, ମତ୍ସ୍ୟବିଭାଗ, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ମିଳିତ ସହଯୋଗରେ ସୁନିତି ପଞ୍ଚାୟତର କେତେକ ଚିଙ୍ଗୁଡି ଘେରିକୁ ଏପ୍ରିଲରେ ଉଚ୍ଛେଦ ହୋଇଥିଲା। ସପ୍ତାହେ ପରେ ଘେରି ଉଚ୍ଛେଦକୁ ପ୍ରଶାସନ ବନ୍ଦ କରି ଦେଇଥିଲା। କେତେଜଣ ଘେରି ମାଲିକଙ୍କ ନଁାରେ ମାମଲା ରୁଜୁ ହୋଇଛି। କିନ୍ତୁ କିଛିଦିନ ପରେ ବ୍ୟବସାୟୀ ପୁଣି ଉଚ୍ଛେଦ ଘେରି ବନ୍ଧ ନିର୍ମାଣ କରି ଚିଙ୍ଗୁଡି ଚାଷ ଚଳାଇଛନ୍ତି। ଲୋକଦେଖଣିଆ ଘେରି ଉଚ୍ଛେଦକୁ ସାଧାରଣରେ ନାପସନ୍ଦ କରାଯାଉଛି।
ଘେରି ଉଚ୍ଛେଦରେ ଟାଳଟୁଳ ନୀତି ଜିଲା ପ୍ରଶାସନ କରୁଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ହାଇକୋର୍ଟ ପୁଣି ଜିଲା ପ୍ରଶାସନକୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, ସୁନିତି, କଂସାର ବଡଦାଣ୍ଡୁଆ, ବଡିଢ଼ି, ନାଞ୍ଜୁରା ଆଦି ପଞ୍ଚାୟତରେ ବହୁ ସରକାରୀ ଓ ବେସରକାରୀ ଜମିରେ ବ୍ୟାପକ ପରିମାଣର ଚିଙ୍ଗୁଡି ଚାଷ ହେଉଛି। ଏହି ଚିଙ୍ଗୁଡି ଘେରିର ଉଦ୍‌ବୃତ୍ତ ରାସାୟନିକ ଜଳ ନଦୀ, ସମୁଦ୍ରରେ ପ୍ରବେଶ ଯୋଗୁ ଜନ, ମୀନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏହି ବିଷାକ୍ତ ଜଳ ନଦୀରେ ମିଶିବା ଦ୍ୱାରା ବଉଳା କୁମ୍ଭୀରଙ୍କ ବଂଶ ବିଲୁପ୍ତ ହେବା ଆଶଙ୍କା ରହିଛି ବୋଲି ପରିବେଶବିତ୍‌, ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ବର୍ଷାଦିନ ଯୋଗୁ ଘେରି ଉଚ୍ଛେଦ ବନ୍ଦ ଅଛି। ତେବେ ୩୪ଜଣ ବେଆଇନ ଚିଙ୍ଗୁଡି ଚାଷୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଆଗାମୀ ଦିନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।