ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍ର ଐତିହାସିକ ବେସିନ୍ ରିଜର୍ଭ ଷ୍ଟାଡିୟମ୍ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ପିଚ୍ର ପ୍ରଥମ ଝଲକ ଭାରତୀୟ ଶିବିରର ଧ୍ୟାନ ଆକର୍ଷଣ କରିଛି । ପିଚ୍ରେ ଘାସର ମୋଟା ସବୁଜ ଆସ୍ତରଣ ଦେଖି ଏହାର ମିଜାଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବେସିନ୍ ରିଜର୍ଭର ପିଚ୍ କ୍ୟୁରେଟର ଟମ୍ ଡେଭି ସ୍ପଷ୍ଟ କରିଛନ୍ତି ଯେ, ଦର୍ଶକଙ୍କୁ ନ୍ୟୁଜିଲାଣ୍ଡର ପାରମ୍ପରିକ ଟେଷ୍ଟ ପିଚ୍ ଦେଖିବାକୁ ମିଳିବ । ଅର୍ଥାତ୍ ପ୍ରଥମ ଦିନରୁ ହିଁ ବ୍ୟାଟ୍ ଓ ବଲ୍ ମଧ୍ୟରେ ଜୋରଦାର ଲଢ଼େଇ ହେବା ନିଶ୍ଚିତ।
ନ୍ୟୁଜିଲାଣ୍ଡରେ ଟେଷ୍ଟ କ୍ରିକେଟ୍ ସାଧାରଣତଃ ସବୁଜ ଘାସ ଥିବା ପିଚ୍ରେ ଖେଳାଯାଏ । ଏଭଳି ପିଚ୍ରେ ପ୍ରଥମ ଦୁଇ ଦିନ ବ୍ୟାଟରଙ୍କ ପାଇଁ ରନ୍ କରିବା କଷ୍ଟକର ହୋଇଥାଏ । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ। ଏକ ସାକ୍ଷାତକାରରେ ପିଚ୍ କ୍ୟୁରେଟର ଟମ୍ ଡେଭି କହିଛନ୍ତି ଯେ, ପ୍ରସ୍ତୁତି ସମୟରେ ପିଚ୍ରୁ ଘାସକୁ ଧୀରେ ଧୀରେ କଟାଯାଉଛି। ମ୍ୟାଚ୍ର ପ୍ରଥମ ଦିନରେ ପିଚ୍ ଉପରେ ପ୍ରାୟ ୧୫ ମିଲିମିଟର ଘାସ ରଖିବାକୁ ଯୋଜନା ରହିଛି ।
ପିଚ୍କୁ ଘୋଡ଼ାଇ ରଖାଯାଉଛି, ଯାହାଦ୍ୱାରା ଘାସ ଓ ଆର୍ଦ୍ରତା ବଜାୟ ରହିପାରିବ। ଡେଭିଙ୍କ ଅନୁସାରେ, ପିଚ୍ଟି କଠିନ ଓ ସବୁଜ ରହିବ। ଏଥିରେ ପ୍ରଥମ ଦିନରେ ଆର୍ଦ୍ରତା ଅଧିକ ରହିବାର ସମ୍ଭାବନା ଅଛି। ତେଣୁ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ଅଧିକ ସହାୟତା ମିଳିପାରେ । ତେବେ ପାଗ ସଫା ରହିଲେ ମ୍ୟାଚ୍ ଆଗକୁ ବଢ଼ିବା ସହ ବ୍ୟାଟିଂ କରିବା ସହଜ ହୋଇପାରେ। ଏହାସହ ୱେଲିଂଟନ୍ର ପ୍ରସିଦ୍ଧ ଜୋରଦାର ପବନ ମଧ୍ୟ ମ୍ୟାଚ୍ର ଗତିପଥ ବଦଳାଇପାରେ।
ପିଚ୍ କ୍ୟୁରେଟର ଟମ୍ ଡେଭିଙ୍କ ମତରେ, ଯଦି ମ୍ୟାଚ୍ ଚତୁର୍ଥ ଓ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଏ, ତେବେ ଦଳରେ ଜଣେ ବିଶେଷଜ୍ଞ ସ୍ପିନର ରହିବା ଲାଭଦାୟକ ହେବ। ୱେଲିଂଟନ୍ର ଜୋରଦାର ପବନ ଓ ଖରା ଯୋଗୁଁ ପିଚ୍ର ଘାସ ଧୀରେ ଧୀରେ ଶୁଖିଯାଏ । ପରେ ପିଚ୍ରେ ଫାଟ ସୃଷ୍ଟି ହେଲେ ସ୍ପିନରଙ୍କୁ ସହାୟତା ମିଳିପାରେ । ବେସିନ୍ ରିଜର୍ଭ ଷ୍ଟାଡିୟମ୍ ଏକ ଅନନ୍ୟ ମୈଦାନ। ଏଠାରେ ଜୋରଦାର ପବନ ବୋଲରଙ୍କ ପାଇଁ ଭିନ୍ନ ଧରଣର ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ବିଶେଷକରି ଏଠାକାର ପରିସ୍ଥିତି ସହ ଅଭ୍ୟସ୍ତ ନଥିବା ବୋଲରଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଅଭ୍ୟାସ ସମୟରେ ମଧ୍ୟ ଜୋରଦାର ପବନ ବହୁଥିବାରୁ ବୋଲରଙ୍କ ପାଇଁ ପରିସ୍ଥିତି ସହ ଖାପଖୁଆଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ।
ତେଣୁ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କ ଦବ୍ଦବା ରହିବାର ସମ୍ଭାବନା ଥିବାବେଳେ ଶେଷ ଦୁଇ ଦିନରେ ସ୍ପିନରମାନେ ମ୍ୟାଚ୍ରେ ପ୍ରଭାବ ପକାଇପାରନ୍ତି । ଏଭଳି ସ୍ଥିତିରେ ଭାରତୀୟ ଦଳର ରଣନୀତି କ’ଣ ରହିବ, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି ।