ବୃଦ୍ଧାଙ୍କ ଘର କାନ୍ଥ ଭାଙ୍ଗି ୩୦ ହଜାର ଚୋରି

ଏମ୍‌ଭି ୭୯,୨୫ା୧୨(ଡି.ଏନ. ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପଲ୍ଲୀ ପଞ୍ଚାୟତର ଗୌଡ଼ଗୁଡା ଗ୍ରାମରେ ଜଣେ ବୃଦ୍ଧା ମାଡକାମୀ ଗାଙ୍ଗୀ (୬୬)ଙ୍କ ଘର କାନ୍ଥ ଭାଙ୍ଗି କେହି ଦୁର୍ବୃତ୍ତ ୩୦ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି । ଗାଙ୍ଗୀଙ୍କ ୨ ପୁଅ ଓ ବୋହୁ ମାଙ୍ଗିପଲିରେ ରାହୁଛନ୍ତି। ଏକାକୀ ଗୌଡ଼ଗୁଡାରେ ରହୁଥିବା ଗାଙ୍ଗୀଙ୍କ କମାରଗୁଡାରେ ରହୁଥିବା ଝିଅ ରାମେ ଓ ନାତି ରାଜୁ ଦେଖାଶୁଣା କରୁଥିଲେ। ଆନ୍ଧ୍ରରେ ଦାଦନ ରୂପେ କାର୍ଯ୍ୟ କରୁଥିବା ତାଙ୍କ ନାତି ମାସେ ତଳେ ଆଇ ଗାଙ୍ଗୀଙ୍କ ନିକଟକୁ ୩୦ ହଜାର ଟଙ୍କା ପଠାଇଥିଲେ। ଗାଙ୍ଗୀ ଏହାକୁ ବ୍ୟାଙ୍କରେ ନରଖି ଟଙ୍କାତକ ନିଜ ଘରେ ଏକ ବାକ୍ସରେ ରଖିଥିଲେ। ତେବେ ୧ମାସରୁ ଊର୍ଦ୍ଧ୍ୱ ହେବ ରାତିରେ ତାଙ୍କ ଘର ଚାରିପଟେ କେହି ବୁଲୁଥିବା ଅନୁଭବ କରି ଗାଙ୍ଗୀ ମାସେ ହେଲା ରାତିରେ ନିଜ ଘରେ ନ ଶୋଇ ଭୁବନ ପଲିରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଶୋଇବାକୁ ଯାଉଥିଲେ। ସକାଳେ ନିଜ ଘରକୁ ଚାଲି ଆସୁଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ମଙ୍ଗଳବାର ରାତିରେ ଗାଙ୍ଗୀଙ୍କ ଘର କାନ୍ଥ ଭାଙ୍ଗି ବାକ୍ସରୁ ୩୦ ହଜାର ଟଙ୍କା ନେଇଯାଇଥିଲେ। ଏହା ଜାଣିବା ପରେ ଗାଙ୍ଗୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଟଙ୍କା ଚୋରି କରିଥିବା ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ସାଧାରଣରେ ଦାବି ହେଉଛି।