୧୮ ମାସରେ ଫେରିଲେଣି ୧,୫୦୦ ପାକ୍‌ ହିନ୍ଦୁ

ଜୟସାଲମେର,୨୨।୮ : ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷେତ୍ରରେ ସରକାରଙ୍କ କଡ଼ା ନିୟମ କାନୁନ ଯୋଗୁ ବହୁ ସଂଖ୍ୟାରେ ପାକିସ୍ତାନୀ ହିନ୍ଦୁ ସେମାନଙ୍କ ଦେଶକୁ ଫେରିଗଲେଣି। ପାକିସ୍ତାନରେ ଅତ୍ୟାଚାର ସହି ନ ପାରି ଏହି ହିନ୍ଦୁ ପରିବାରଗୁଡ଼ିକ ଭାରତ ଚାଲିଆସିଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀରୁ ଜୁଲାଇ ମଧ୍ୟରେ ସେମାନଙ୍କ ମଧ୍ୟରୁ ୩୩୪ ଜଣ ଶରଣାର୍ଥୀ ପାକିସ୍ତାନ ଫେରିଯାଇଛନ୍ତି। ୨୦୨୧ରୁ ଇତିମଧ୍ୟରେ ପ୍ରାୟ ୧,୫୦୦ ପାକିସ୍ତାନୀ ହିନ୍ଦୁ ଫେରିଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋହଳ ବ୍ୟବସ୍ଥା ଯୋଗୁ ହିନ୍ଦୁ ଶରଣାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭାରତୀୟ ନାଗରିକତ୍ୱ ପାଇବା ନିମନ୍ତେ ଆବଶ୍ୟକ ଅନୁଷଙ୍ଗିକତା ପୂରଣ ଲାଗି ଅଧିକାଂଶ ହିନ୍ଦୁ ଶରଣାର୍ଥୀଙ୍କ ପାଖରେ ଟଙ୍କା ବା ସମ୍ବଳ ନାହିଁ। ତେଣୁ ସେମାନେ ପାକିସ୍ତାନ ଫେରିଯିବାକୁ ବାଧ୍ୟ ହେଉଥିବା ସୀମାନ୍ତ ଲୋକ ସଂଗଠନର ସଭାପତି ହିନ୍ଦୁ ସିଂ ସୋଧା କହିଛନ୍ତି। ଏଠାରେ ୧୦ରୁ ୧୫ ବର୍ଷ ହେଲା ରହିଥିବା ପ୍ରାୟ ୨୫,୦୦୦ ପାକିସ୍ତାନୀ ହିନ୍ଦୁ ଭାରତୀୟ ନାଗରିକତ୍ୱ ଚାହାନ୍ତି। ୨୦୦୪ ଓ ୨୦୦୫ରେ କ୍ୟାମ୍ପ କରାଯାଇ ପ୍ରାୟ ୧୩,୦୦୦ ପାକିସ୍ତାନୀ ହିନ୍ଦୁଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଥିଲା।

Share