୧୫୦ ଶିକାରୀଙ୍କୁ ଶପଥ କରାଇଲେ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଧଡ଼କ ଭାବେ ପଶୁ ଶିକାର ଚାଲିଛି। ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଇତିମଧ୍ୟରେ ଶୁକ୍ରବାର ଶିକାର କରିବା ଉଦ୍ଦେଶ୍ୟରେ କାଲିମେଳା ଗମ୍ପାକୋଣ୍ଡା ଅଞ୍ଚଳରୁ ସିଲେରୁ ଦେଇ ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଆସୁଥିବା ବେଳେ ବନବଭିଗ ହାତରେ ଧରାପଡିଛନ୍ତି। ଏସ୍‌ଡିପିଓ ଅଂଶୁମାନ ଦ୍ୱିିବେଦୀ ଓ ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ସେମାନଙ୍କୁ ଅଟକାଇ ପଚରାଉଚରା କରି ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ନ କରିବା ପାଇଁ ଶପଥ କରାଇଥିଲେ।
ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଅଞ୍ଚଳରେ ଗୋଟିଏ ଟ୍ରକ ଏବଂ ଦୁଇଟି ବୋଲେରୋରେ ୧୫୦ରୁ ଊର୍ଦ୍ଧ୍ୱ ଶିକାରୀ ଜଙ୍ଗଲକୁ ଶିକାର ପାଇଁ ଆସୁଥିବା ନେଇ ଏସ୍‌ଡିପିଓ ଦ୍ୱିବେଦୀଙ୍କୁ ଏହି ସୂଚନା ମିଳିଥିଲା। ଘଟଣାସ୍ଥଳରେ ସେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିବା ସହ ତାଙ୍କ ନିକଟରୁ ବହୁ ଅସ୍ତ୍ର ଶସ୍ତ୍ର ଜବତ କରିଥିଲେ। ଏସ୍‌ଡିପିଓ ଦ୍ୱିବେଦୀ, ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠୀ ଏବଂ ଅନ୍ୟ ବନପାଳଙ୍କ ଉପସ୍ଥିତିରେ ୧୫୦ରୁ ଊର୍ଦ୍ଧ୍ୱ ଶିକାରୀଙ୍କୁ ଜଙ୍ଗଲରୁ ପଶୁ ଶିକାର ନ କରିବାକୁ ଶପଥ କରାଇଥିଲେ।