Categories: ଖେଳ

ପ୍ରଥମ ବିଶ୍ୱକପ୍‌, ନୂତନ ଅଧିନାୟକ: ଟିମ୍‌ ଇଣ୍ଡିଆର ସ୍ମରଣୀୟ ଦିନକୁ ପୂରିଲା ୧୫ ବର୍ଷ…

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ପାଇଁ ଆଜି ଏକ ସ୍ମରଣୀୟ ଦିନ। ୨୪ ସେପ୍ଟେମ୍ବର ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ୍‌ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଥିଲା ପ୍ରଥମ ଟି-୨୦ ବିଶ୍ୱକପ, ଯେଉଁଥିରେ ନୂତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳର ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଥିଲା। ୧୫ ବର୍ଷ ପୂର୍ବେ ଭାରତ ଫାଇନାଲରେ ପାକିସ୍ତାନ ଦଳକୁ ୫ ରନରେ ପରାସ୍ତ କରି ଟ୍ରଫି ଜିତିଥିଲା।

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିବା ଫାଇନାଲରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ମ୍ୟାଚ୍‌ରେ ୫ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଓପନର୍‌ ଗୌତମ ଗମ୍ଭୀର ୫୪ ବଲରେ ୭୫ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୮ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ବ୍ୟତୀତ ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ। ରୋହିତ ୨ ଟି ଚୌକା ଓ ୧ ଛକା ସହାୟତାରେ ୧୬ ବଲରେ ୩୦ ରନ କରିଥିଲେ। ଏଥିସହିତ ୟୁସୁଫ ପଠାନ (୧୫), ରବିନ ଉଥାପ୍ପା (୮), ଧୋନୀ(୬) ନିଜର ଉଇକେଟ କମ୍‌ ସମୟରେ ହରାଇଥିଲେ। ଗମ୍ଭୀର ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଉମର ଗୁଲଙ୍କ ଶିକାର ହୋଇଥିଲେ।

ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନର ଅବସ୍ଥା ଆରମ୍ଭରୁ ଖରାପ ଥିଲା। ଆରପି ସିଂ ଏବଂ ଇରଫାନ ପଠାନ ଦମ୍‌ଦାର ବୋଲିଂ କରି ତିନୋଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟପକ୍ଷରେ ଯୋଗୀନ୍ଦର ଶର୍ମା ଦୁଇଟି ଉଇକେଟ ନେଇଥିଲେ ଏବଂ ଶ୍ରୀସନ୍ତ ଗୋଟିଏ ଉଇକେଟ ନେଇଥିଲେ। ଏହିପରି ଭାବେ ପାକିସ୍ତାନ ଦଳ ୧୫୨ ରନ ରେ ସମସ୍ତ ଉଇକେଟ ହରାଇଥିଲେ।

Share