Categories: ଜାତୀୟ

୧୫ ବର୍ଷ ପୂର୍ବରୁ ୨୧ ଜୁଲାଇରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧ ।: ଜୁଲାଇ ୨୧ ଭାରତ ଇତିହାସରେ ପୁଣିଥରେ ଏକ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି ଆଉଜଣେ ମହିଳା ରାଷ୍ଟ୍ରପତି । ଦେଶର ୧୫ ତମ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ ନିର୍ବାଚନ ହୋଇଥିଲା । ୨୧ ଜୁଲାଇ ଗୁରୁବାର ସକାଳ ୧୧ଟାରେ ସଂସଦ ଭବନରେ ମତଗଣନା ଆରମ୍ଭ ହେବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏଥିରେ ବିଜୟୀ ହେବେ ବୋଲି ଅନୁମାନ କରାଯାଇଛି । ଯଦି ଏଥିରେ ସେ ବିଜୟୀ ହୁଅନ୍ତି ତେବେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିଯିବ ।
ସୂଚନାଯୋଗ୍ୟ, ଆଜିକୁ ଠିକ୍ ୧୫ ବର୍ଷ ତଳେ ୨୧ ଜୁଲାଇରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ପ୍ରତିଭା ଦେବୀ ସିଂ ପାଟିଲ । ୨୧ ଜୁଲାଇ ୨୦୦୭ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ପରେ ପ୍ରତିଭା ଦେବୀ ସିଂ ପାଟିଲ ବିଜୟୀ ହୋଇ ଦେଶର ୧୨ ତମ ରରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପରେ ୨୫ ଜୁଲାଇ ୨୦୦୭ରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ । ଦେଶର ସର୍ବୋଚ୍ଚ ସମ୍ବିଧାନକ ପଦ ଗ୍ରହଣ କରିବାରେ ସେ ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । ଏହାପରେ ଏବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ମହିଳା ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଏହି ସମ୍ବିଧାନକ ପଦ ଗ୍ରହଣ କରିପାରନ୍ତି । ଏବେ ଦେଶରେ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି । ଏହାପରେ ୨୫ ଜୁଲାଇରେ ନୂଆ ରାଷ୍ଟ୍ରପତି ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Share