୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଯୋଗେନ୍ଦ୍ର ଗୌଡ଼ ନାମକ ଯୁବକଙ୍କୁ ତଦନ୍ତକାରୀ ଅଧିକାରୀ ୪ ମାସ ପରେ ସୋମବାର ଗିରଫ କରି ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୯୭/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୩୦/୪/୨୦୨୬ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ଘରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ। ଛାତ୍ରୀଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ତଦନ୍ତ କରିବା ପରେ ଅଭିଯୁକ୍ତ ନାବାଳିକାଙ୍କୁ ନେଇ ପୁଣେ ଚାଲିଯାଇଥିବା ଜଣାପଡିଥିଲେ। ନାବାଳିକାଙ୍କୁ ନେଇ ଅଭିଯୁକ୍ତ ଶନିବାର ଟ୍ରେନ ଯୋଗେ ବ୍ରହ୍ମପୁର ଫେରୁଥିବା ସୂଚନା ମିଳିବା ପରେ ତଦନ୍ତକାରୀ ଅଧିକାରୀ ସାଧା ପୋଷାକରେ ସଦଳବଳେ ବ୍ରହ୍ମପୁର ରେଲୱେ ଷ୍ଟେଶନ ଅଞ୍ଚଳରେ ଛକି ରହିଥିଲେ। ପୋଲିସ ଟିମ କୌଶଳ କ୍ରମେ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଅଭିଯୁକ୍ତଙ୍କୁ ଗିରଫ ପାଇଁ ତାଙ୍କ ମୋବାଇଲ ଫୋନ ଟ୍ରାକିଂ କରି ସେଠାକାର ପୋଲିସ ସହାୟତାରେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ ଲୋକେସନ ବାରମ୍ବାର ବଦଳାଉଥିବା କାରଣରୁ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇନଥିଲେ। ପୋଲିସ ଟିମ କୌଶଳକ୍ରମେ ପ୍ରଥମେ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ପରେ ଅଭିଯୁକ୍ତଙ୍କୁ ମାଡି ବସିଥିଲେ। ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ପୀଡ଼ିତାଙ୍କୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ଛାତ୍ରୀଙ୍କୁ ତାଙ୍କ ମାତା ପିତାଙ୍କ ହେପାଜତରେ ଛଡା ଯାଇଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Odisha’s No.1 Odia Daily

Share