୩ ସ୍କୁଲର ୨୯ କମ୍ପ୍ୟୁଟରରୁ ୧୫ ଅଚଳ

ଯାଜପୁର,୮ା୧୦(ହର୍ଷବର୍ଦ୍ଧନ ବେହେରା)ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସମଗ୍ର ଶିକ୍ଷା ଯୋଜନାରେ ସ୍ମାର୍ଟ ହାଇସ୍କୁଲ ନିର୍ମାଣ ହେଉଛି। ଏଥିରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ବହୁ ସ୍ମାର୍ଟ ସ୍କୁଲରେ ପୁରୁଣା ଭର୍ସନ ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦିଆଯାଇଥିବାରୁ କମ୍‌ ସମୟରେ କମ୍ପ୍ୟୁଟରଗୁଡ଼ିକ ଅଚଳ ହୋଇପଡ଼ିଛି। ଯାଜପୁର ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ନିବେଦିତା ପାଣି ୧୧ା୯ା୨୦୨୩ରେ କରିଥିବା ସ୍ମାର୍ଟକ୍ଲାସ ତଦନ୍ତ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। କେବଳ ବଡ଼ଚଣା ବ୍ଲକର ୩ଟି ସ୍ମାର୍ଟ ହାଇସ୍କୁଲ ତଦନ୍ତ ରିପୋର୍ଟରେ ୨୯ଟି କମ୍ପ୍ୟୁଟରରୁ ୧୫ଟି ଅଚଳ ହୋଇଥିବା ଦର୍ଶାଯାଇଛି। ସମଗ୍ର ଜିଲାରେ ଏହି ୩ଟି ସ୍ମାର୍ଟ ସ୍କୁଲକୁ ଉଦାହରଣ ଭାବେ ନିଆଯାଇଛି। ଏନେଇ ହୋଇଥିବା ଦୁର୍ନୀତି ଅଭିଯୋଗର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହେଉଛି।
ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମବିଏଡିସି) ପାଣ୍ଠିରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣ ହେଉଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ତେବେ ଅଧିକାଂଶ ସ୍କୁଲରେ ପୁରୁଣା ଭର୍ସନ କମ୍ପ୍ୟୁଟର କିଣା ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦେଇ ଅର୍ଥ ହଡ଼ପ କରାଯାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏନେଇ ଆଇନଜୀବୀ ଉଦୟନାଥ ସାହୁ ଗତ ଫେବୃୟାରୀରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହାପରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ସେହି ବିଡିଂର କାର୍ଯ୍ୟାଦେଶକୁ ସ୍ଥଗିତ ରଖି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶ ଚପିଯାଇଥିଲା। ଏହାବାଦ ବିଡିଂ ଉପରେ ଆପତ୍ତି ଉଠାଇଥିବା ବିଡରଙ୍କ ମଧ୍ୟରୁ କେହି କାହିଁକି ମାମଲା ରୁଜୁ କଲେ ନାହିଁ ଦର୍ଶାଇ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାଟିକୁ ରଦ୍ଦ କରି ଦେଇଥିଲେ। ଏହାପରେ କମ୍ପ୍ୟୁଟର କିଣା ପୁଣି ଆରମ୍ଭ ହୋଇଥିଲା। ତେବେ ରାଜ୍ୟ ସୂଚନା ଅଧିକାର ଆଇନର ଆବାହକ ପ୍ରଦୀପ ପ୍ରଧାନ ପୁଣି କମ୍ପ୍ୟୁଟର କିଣାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଲୋକାୟୁକ୍ତରେ ୨୧୭/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁସାରେ ଗୋଟିଏ ଲେଖାଏ କମ୍ପ୍ୟୁଟର ସହ ଏକ ୟୁପିଏସ୍‌ ଓ ଆଣ୍ଟି ଭାଇରସ୍‌ ସଫ୍ଟୱେରକୁ ୩୯ ହଜାର ଟଙ୍କା ମୂଲ୍ୟରେ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା। ତେବେ ସେସବୁ ପୁରୁଣା ସଂସ୍କରଣର ସାମଗ୍ରୀ ହୋଇଥିବାରୁ ତାହା ଅଳ୍ପ ସମୟ ମଧ୍ୟରେ ଖରାପ ହୋଇଯିବା ଆଶଙ୍କା କରାଯାଇଥିଲା, ଯାହାକି ଏବେ ସତ୍ୟ ହୋଇଛି। ଡିପିସି ପାଣିଙ୍କ ତଦନ୍ତ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ମଲିହାଶୁଣୀ ସରକାରୀ ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଏହି ସ୍କୁଲରେ ୧୩ଟି କମ୍ପ୍ୟୁଟର ଥିବାବେଳେ ସେଥିରୁ ୧୦ଟି ଅଚଳ। ଅନୁରୂପ ଭାବେ ବିଶ୍ୱେଶ୍ୱର ସ୍ମାର୍ଟ ହାଇସ୍କୁଲରେ ୧୩ଟି କମ୍ପ୍ୟୁଟର ମଧ୍ୟରୁ ୫ଟି ଅଚଳ ହୋଇପଡିଛି। ଏହାବାଦ୍‌ କବାଟଗୁଡ଼ିକର ମରାମତି ଆବଶ୍ୟକ ଥିବା ସହ ସ୍କୁଲ ପରିସରକୁ ସଫା ରଖିବାକୁ ତଦନ୍ତକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ମାଣ୍ଡୁକା ପଞ୍ଚାୟତ ହାଇସ୍କୁଲର ତଦନ୍ତ ରିପୋର୍ଟରେ ୩ଟି କମ୍ପ୍ୟୁଟର କାର୍ଯ୍ୟକ୍ଷମ ଥିବାବେଳେ ସ୍ମାର୍ଟ କ୍ଲାସ ଯନ୍ତ୍ରପାତି ଇନଷ୍ଟଲ ଉପରେ ତଦନ୍ତକାରୀ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି। ଏହି ୩ଟି ସ୍ମାର୍ଟ ସ୍କୁଲରେ ତଦନ୍ତ ସମୟରେ ଛାତ୍ରୀଛାତ୍ରମାନେ ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ସ୍ମାର୍ଟ କ୍ଲାସ୍‌ରୁମ୍‌, ସାଇନ୍ସ ଲାବରେଟୋରି, ଇ-ଲାଇବ୍ରେରି, ପାନୀୟ ଜଳ, ଶୌଚାଳୟ ଇତ୍ୟାଦି ଠିକ ଭାବେ ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଡିପିସି ନିବେଦିତା ପାଣି ସମ୍ପୃକ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।