Categories: ଜାତୀୟ

୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଲୋକ ସଭାରେ ସୂଚନା ପ୍ରଦାନ କରାଯାଇଛି। ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦୨୧ ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ସେନାର ଏମ୍‌ଆଇ-୧୭ ଭି-୫ ଚପରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ମଧ୍ୟରେ ୪ ଆଡଭାନ୍ସ ଲାଇଟ ହେଲିକପ୍ଟର (ଏଏଲଏଚ୍‌), ୪ ଚିତା, ୨ଟି ଅସ୍ତ୍ରଶସ୍ତ୍ର ଇଣ୍ଟିଗ୍ରେଟେଡ ଏଏଲଏଚ୍‌, ୩ଟି ଏମ୍‌ଆଇ-୧୭ ଭି-୫, ଗୋଟିଏ ଏମ୍‌ଆଇ-୧୭ ଏବଂ ଗୋଟିଏ ଚେତକ ରହିଛି। ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି। ୨୦୧୭ ମାର୍ଚ୍ଚ ୧୫ରେ ଏକ ବାୟୁସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଭାରତୀୟ ସେନା ଏବଂ ବାୟୁସେନାର ୭ଟି ଲେଖାଏଁ ହେଲିକପ୍ଟର ଏବଂ ନୌସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି।

Share