ସ୍କୁଟିରୁ ମିଳିଲା ୧୫ ଲକ୍ଷ, ୪୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୯।୩: ବଡ଼ବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଧୀନ ସିନ୍ଦୂରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ(୨୬) ଓ ଅନ୍ୟ ଜଣେ ଗଜପତି ଜିଲା ମୋହନା ଥାନା ଅଧୀନ କେସରିଆଗୁଡା ଗ୍ରାମର କୈଳାସ ବିର(୨୧)।

ଅନ୍ୟପକ୍ଷେ ଘଟଣାର ମାଷ୍ଟରମାଇଣ୍ଡ ମନୋଜ ପଣ୍ଡା ପୋଲିସକୁ ଚକମା ଦେଇ ସ୍କୁଟି ଛାଡି ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ମନୋଜଙ୍କ ସ୍କୁଟି ଜବତ କରି ଯାଞ୍ଚ ବେଳେ ଡିକିରୁ ୧୫ ଲକ୍ଷ ଟଙ୍କା ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ବଡ଼ବଜାର ଥାନା ପୋଲିସ ଶ୍ରୀରାମନଗର ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ୨ଜଣ ଯୁବକ ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ କାବୁ କରି ନେଇଥିଲା। ପୋଲିସ ତାଙ୍କଠାରୁ ୪୦କେଜି ଗଞ୍ଜେଇ ଜବତ କରିଥିଲା। ସେମାନଙ୍କ ବୟାନକୁ ଆଧାର କରି ମାଷ୍ଟରମାଇଣ୍ଡ ମନୋଜଙ୍କ ମୋବାଇଲକୁ ପୋଲିସ ଟ୍ରାକିଂ କରିଥିଲା। ସେ ଏମ୍‌କେସିଜି ମେଡିକାଲ ଖେଳ ପଢ଼ିଆ ରାସ୍ତାରେ ଥିବା ଜଣାପଡିଥିଲା। ପୋଲିସ ଏକ ଟିମ୍‌ ଘଟଣାସ୍ଥଳରେ ଚଢାଉ କରିଥିଲା। ହେଲେ ପୋଲିସକୁ ଦେଖି ମନୋଜ ଗାଡ଼ି ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୫୫/୨୨) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପୋଲିସ ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।