୧୫ ଲୁହାପଥର ବୋଝେଇ ଗାଡ଼ି ଅଟକ

ଆନନ୍ଦପୁର,୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ୧୫ ଲୁହାପଥର ବୋଝେଇ ଟ୍ରକ୍‌ ଓ ୪ ବାଲି ବୋଝେଇ ହାଇଓ୍ବା ଅଟକ ରହିଛି। ଓଭରଲୋଡିଂ କାରଣରୁ ବାଲି ବୋଝେଇ ହାଇଓ୍ବା ଜବତ କରାଯାଇଥିବାବେଳେ ରୁଟ୍‌ ପରମିଟ୍‌ ନ ଥିବାରୁ ୧୫ ଲୁହାପଥର ବୋଝେଇ ଟ୍ରକ୍‌ ଅଟକ ରଖାଯାଇଛି। ଏ ସମ୍ପର୍କରେ ଆର୍‌ଟିଓଙ୍କୁ ସୂଚନା ଦିଆଯିବା ସହିତ ଥାନାକୁ ହସ୍ତାନ୍ତର କରାଯାଇଥିବା ଆନନ୍ଦପୁର ତହସିଲଦାର ମାନସ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବୈତରଣୀ ସେତୁରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ରହିଥିବାବେଳେ ଦୈନିକ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଯାନ ଯାତାୟାତ କରିଥାଆନ୍ତି। ଘଟଣାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶୁକ୍ରବାର ତହସିଲଦାର ତ୍ରିପାଠୀ ଲୁହାପଥର ବୋଝେଇ ଗାଡ଼ିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ। ଅଟକ ୧୫ ଲୁହାପଥର ବୋଝେଇ ଗାଡ଼ିରୁ ୧୧ଟିର ରୁଟ୍‌ ପରମିଟ୍‌ ନ ଥିବା ଓ ୪ ଗାଡ଼ିର ପରମିଟ୍‌ ଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜବତ ୪ ବାଲି ଗାଡ଼ି ମଧ୍ୟରୁ ଦୁଇ ଗାଡ଼ିରୁ ତହସିଲ ପକ୍ଷରୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।