ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ ଏକ ମାଛ ଧାରା ଟ୍ରଲର ରବିବାର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇଥିଲା । ଇଲିସି ସନ୍ଧାନରେ ବାହାରିଥିବାବେବେଳେ ଉତ୍ତାଳ ଢେଉରେ ଅଦ୍ୟାବଧି ନିଖୋଜ ହୋଇଥିବାର ସୂଚନା ମିଳିଛି ।
ଏହି ୧୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ୧୨ ଜଣ ଓ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମ ଗୋଟିଏ ପରିବାରର ତିନିଭାଇ ନିଖୋଜ ଅଛନ୍ତି । ସେମାନେ ହେଲେ ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀ । ଦୀଘା – ଶଙ୍କରପୁର ଫିସାର ଏଣ୍ଡ ଫିସେସ ଏସୋସିଏସନ ପକ୍ଷରୁ ଦୀଘା ଓ ମନ୍ଦାରମଣୀ ସାମୁଦ୍ରିକ ଥାନାକୁ ଜଣାଇବା ପରେ ନିଖୋଜଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ସନ୍ଧାନରେ ଏକ ହେଲିକପ୍ଟର ସମୁଦ୍ର ଆକାଶରେ ଚକ୍କର ମାରୁଛି । ପାଗ ପ୍ରତିକୂଳ ଥିବାରୁ ମତ୍ସ୍ୟଜୀବୀଙ୍କ ସନ୍ଧାନରେ ବିଳମ୍ବ ହେଉଛି । ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନଥିବାରୁ ପରିବାରର ଆତ୍ମୀୟ ସ୍ୱଜନ କାନ୍ଦ ବୋବାଳି ଓ ଠାକୁରଙ୍କ ଠାରେ ଘନ ଘନ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।