୧୫ ଆକାଉଣ୍ଟ ଅଚଳ, ଜବତ ହେବ ସମ୍ପତ୍ତି

ସମ୍ବଲପୁର,୨୯ା୪(ବ୍ୟୁରୋ): ସମ୍ବଲପୁର ପୋଲିସ ଗତ ୨୬ ତାରିଖରେ ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ଏହି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ସଦର ଥାନା ପୁଟିବନ୍ଧ ଶ୍ରୀରାମନଗରର ସୁଶାନ୍ତ କୁମାର ଲେଙ୍କା (୪୪)ଙ୍କ ସମେତ ୭ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଅଭିଯୁକ୍ତମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ଏହାସହ ସମସ୍ତ ଅଭିଯୁକ୍ତଙ୍କ ନାମରେ ଥିବା ବିଭିନ୍ନ ବ୍ୟାଙ୍କର ୧୫ ଜମାଖାତାକୁ ଅଚଳ କରିଦେବାକୁ ପୋଲିସ ଅନୁରୋଧ କରିଥିଲା। ତଦନୁଯାୟୀ ବ୍ୟାଙ୍କ ସେମାନଙ୍କ ଜମାଖାତା ଅଚଳ କରିଦେଇଛି। ସମସ୍ତ ଜମା ଖାତାରେ ୧୬ ଲକ୍ଷ ଟଙ୍କା ରହିଥିବା ପୋଲିସ ସୂଚନା ଦେଇଛି। ଆଗକୁ ଜମି, କୋଠା ଓ ଅନ୍ୟ ସମ୍ପତ୍ତି ଆକଳନ କରାଯାଉଛି। ଏହା ମଧ୍ୟ ଜବତ କରାଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ପୋଲିସ ୧୫ ଦିନ ଧରି ସ୍ବତନ୍ତ୍ର ଅଭିଯାନ ଚଳାଇ ପୁଟିବନ୍ଧ ଅଞ୍ଚଳରୁ ଏହି ର଼୍ୟାକେଟକୁ କାବୁ କରିଥିଲା। ଏହି ର଼୍ୟାକେଟ ବୌଦ୍ଧ ଜିଲାରୁ ଗଞ୍ଜେଇ ଆଣି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, କୋଲକାତା ଆଦି ରାଜ୍ୟ ସମେତ ଓଡ଼ିଶାର ବ୍ରହ୍ମପୁରକୁ ଚାଲାଣ କରୁଥିଲା। ଶାସନ ଥାନା ଗଣ୍ଡପାଲି ଗ୍ରାମରେ ସେମାନେ ଏକ ଗୋଦାମ କରିଥିଲେ। ସେଠାରେ କେଜିକିଆ ପ୍ୟାକେଟ କରି ଚାଲାଣ କରୁଥିଲେ। ୩ ହଜାର ଟଙ୍କାରେ କିଣି ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଦୀର୍ଘ ୮ବର୍ଷ ଧରି ସେମାନେ ଏଭଳି କରିଆସୁଥିଲେ।