ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି। ସେଥିମଧ୍ୟରେ ସୋମବାର ଗୋଟିଏ ଦିନରେ ୧୫ ଲକ୍ଷ ୪୯ ହଜାର ୮୩୧ଟି ଆଇଟିଆର୍‌ ଦାଖଲ ହୋଇଛି ବୋଲି ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ମୁଖ୍ୟତଃ ଆଇଟିଆର୍‌ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା। ସେହି ଅବଧିକୁ ଡିସେମ୍ବର ୩୧କୁ ବଢ଼ାଇ ଦିଆଯାଇଛି। ମୋଟ ଦାଖଲ ଆଇଟିଆର୍‌ ମଧ୍ୟରୁ ୨.୫ କୋଟିରୁ ଊର୍ଦ୍ଧ୍ୱ ହେଉଛି ଆଇଟିଆର୍‌-୧ ଏବଂ ପ୍ରାୟ ୧.୧୭ କୋଟି ହେଉଛି ଆଇଟିଆର୍‌-୪ ବର୍ଗର। ବହୁସଂଖ୍ୟକ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର କରଦାତାଙ୍କ ପାଇଁ ଆଇଟିଆର୍‌ ଫର୍ମ-୧ (ସହଜ) ଏବଂ ଆଇଟିଆର୍‌ ଫର୍ମ-୪ (ସୁଗମ) ଭଳି ସରଳ ପଦ୍ଧତି ବେଶ୍‌ ସହାୟକ ହୋଇପାରିଛି। ବିଶେଷକରି ଦରମା, ଗୃହ ସମ୍ପତ୍ତି ଏବଂ ସୁଧ ଓ ଅନ୍ୟାନ୍ୟ ସୂତ୍ରରୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନେ ‘ସହଜ’ ମାଧ୍ୟମରେ ଆଇଟିଆର୍‌ ଦାଖଲ କରିପାରିବେ। ସେହିପରି ବ୍ୟବସାୟ ଏବଂ ବୃତ୍ତିରୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି, ସଂସ୍ଥା ଏବଂ ଅବିଭକ୍ତ ହିନ୍ଦୁ ପରିବାର ଆଇଟିଆର୍‌-୪ ବ୍ୟବହାର କରିପାରିବେ। ସୂଚନାଥାଉ କି, ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୫.୯୫ କୋଟି ଆଇଟିଆର୍‌ ଦାଖଲ ହୋଇଥିଲା।

Share