ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା ନୀରବ ପ୍ରାର୍ଥନା
ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପୋଡ଼ାମାରି ଗ୍ରାମ ସ୍ଥିତ ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୧୪ ତମ ରାଷ୍ଟ୍ରୀୟ ବନ ସହିଦ୍ ଦିବସ ପାଳିତ ହୋଇଯାଇଛି। ଜଙ୍ଗଲ, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବନ କର୍ମଚାରୀ, ଏବଂ ପରିବେଶ ପ୍ରେମୀମାନଙ୍କ ଅତୁଳନୀୟ ସାହସକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜିତ ସଭାରେ ବନ ଅଧିକାରୀ ବୃନ୍ଦ ସେମାନଙ୍କ ଉଦବୋଧନରେ କହିଥିଲେ। ଭାରତ ସରକାରଙ୍କ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି। ଶହୀଦ ବନ କର୍ମଚାରୀ ଓ ପରିବେଶ ପ୍ରେମୀ ମାନଙ୍କୁ ମନେ ପକାଇବା ଏବଂ ଜଙ୍ଗଲକୁ ସମ୍ପୂର୍ଣ ଭାବେ ସୁରକ୍ଷିତ ରଖିବା ୨୦୨୬ ମସିହା ରାଷ୍ଟ୍ରୀୟ ବନ ସହିଦ ଦିବସର ମୁଖ୍ୟ ବିଷୟବସ୍ତୁ ବୋଲି ସଭାରେ ମତପ୍ରକାଶ ପାଇଥିଲା। ପ୍ରକୃତିର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବୀରମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଆଗାମୀ ପିଢ଼ିକୁ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଅଧିକ ଦାୟିତ୍ୱବାନ କରିବା ନେଇ ବନ ଅଧିକାରୀ ବୃନ୍ଦ ମତପ୍ରକାଶ କରିଥିଲେ । ଅଣଗେଜେଟେଡ ବନ ସେବା ସଂଘ ପାରଳାଖେମୁଣ୍ଡି ଜୋନ୍ ସଭାପତି ତଥା ଭୀଷ୍ମଗିରି ବନ ସେକ୍ସନ ର ଫରେଷ୍ଟର ଦେବାଶିଷ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ବୃନ୍ଦ ଦେଶର ଜଙ୍ଗଲ , ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ବନ କର୍ମଚାରୀ (ଫରେଷ୍ଟର, ଫରେଷ୍ଟ ଗାର୍ଡ, ରେଞ୍ଜର) ଏବଂ ପରିବେଶ ପ୍ରେମୀମାନଙ୍କ ବଳିଦାନ କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ପରଲୋକଗତ ବୀର ବନ କର୍ମଚାରୀ ମାନଙ୍କ ସ୍ମୃତି ଚାରଣ କରାଯିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ରେଞ୍ଜର ପ୍ରଶାନ୍ତ ବେହେରା, ରେଞ୍ଜର ରୂପକ ପ୍ରଧାନ , ବନପାଳ ସନ୍ତୋଷ ପାଣିଗ୍ରାହୀ, ବିଜୟ ମହାରଣା , ସୁଧାକର କଣ୍ଡାଲୁ , ବାରିକ ବେହେରା , ଗଣେଶ ପ୍ରଧାନ , ଦୁର୍ଯୋଧନ ଜେନା , ବନରକ୍ଷୀ ବନ୍ଧିଆ ଗମାଙ୍ଗ , ଗିରିଜା ଶଙ୍କର ଦୋରା , ବିଷ୍ଣୁପ୍ରିୟା ଗୈାଡ ଙ୍କ ସମେତ ବହୁ ସଂଖ୍ୟକ ବନ କର୍ମଚାରୀ ଉପସ୍ଥିତ ଥିଲେ ।