ସୁବର୍ଣ୍ଣରେଖା ସଇରାତରେ ୧୪୪ ଧାରା ଜାରି

ଜଳେଶ୍ୱର, ୭ା୨(ଡି.ଏନ.ଏ.): ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିଲାଲ ଚଭନଙ୍କ ଉପରେ ବାଲି ଚୋରାଚାଲାଣକାରୀଙ୍କ ଆକ୍ରମଣ ପରେ ଜିଲା ପ୍ରଶାସନ ତତ୍ପର ହୋଇପଡିଛି। ସୋମବାର ସୁବର୍ଣ୍ଣରେଖା ନଦୀର ବାଲି ସଇରାତଗୁଡିକରେ ୧୪୪ ଧାରା ଜାରି କରିବା ସହିତ ନାଲି ପତାକା ଲଗାଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ସ୍କ୍କାଡ୍‌ ଗଠନ କରାଯାଇଥିବା ବେଳେ ଜିଲାପାଳ ନିଜେ ୬୦ନଂ ଜାତୀୟ ରାଜପଥରୁ ୬ଟି ବାଲି ବୋଝେଇ ଯାନକୁ ଅଟକ ରଖିଛନ୍ତି ।
ଫଳରେ ବାଲି ଚୋରାଚାଲାଣକାରୀଙ୍କ ମଧ୍ୟରେ ଛନକା ପଶିଛି ।
ସୁବର୍ଣ୍ଣରେଖାରୁ ବ୍ୟାପକ ବାଲି ଉତ୍ତୋଳନ ହୋଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ରୋକିବାରେ ବିଫଳ ହୋଇଛି। ଖଣି, ପରିବେଶ, ଜଙ୍ଗଲ ଓ ପ୍ରଦୂଷଣ ଆଇନ୍‌କୁ ଉଲ୍ଲଙ୍ଘନ କରି ବାଲି ଚୋରା ଚାଲାଣକାରୀମାନେ କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିଲାଲ ଚଭନଙ୍କୁ ଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣ ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲି ଚାଲାଣ ରୋକିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ା ଜଳେଶ୍ୱର ତହସିଲ ଅଞ୍ଚଳରେ ପ୍ରାୟ ୨୫ଟି ସଇରାତ ଥିବା ବେଳେ ଏନ୍‌ଜିଟି ସଂଶ୍ଳିଷ୍ଟ ପ୍ରାୟ ୧୫ଟି ବାଲି ସଇରାତ୍‌ରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ଲଗାଯାଇଛି । ଉପଜିଲାପାଳଙ୍କ ମିସ୍‌ କେସ ନଂ. ୯/୨୩ ଅନୁଯାୟୀ ଜଳେଶ୍ୱର ତହସିଲର ସୁବର୍ଣ୍ଣରେଖା ନଦୀରେ ବିଳାସପୁର, ମାକିଡିଆ (କ), (ଖ), (ଗ), କୁଅଁରପୁର, ତୋଟାପଡା, ବେହେରାସାହି, ପ୍ରହରାଜପୁର, ପ୍ରହରାଜପୁର (କ), ଦକ୍ଷିଣ ପ୍ରହରାଜପୁର, ମକରମପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର(ଖ), କଣ୍ଟାପାଳ, ଗଡସାହିବାଲିଆପାଳ ଆଦି ବାଲି ସଇରାତରେ ଜଳେଶ୍ୱର ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିିନ୍ଦେ ବାଲେଶ୍ୱରରୁ ଜଳେଶ୍ୱର ଆସିବା ବେଳେ ୬୦ନଂ. ଜାତୀୟ ରାଜପଥରେ ଯାଉଥିବା ଡମ୍ପର ନଂ. ଓଡି୦୧ଏକେ-୯୫୦୫ ଓ ଓଡି୦୧ଏପି-୮୯୨୧ ଏବଂ ଟ୍ରାକ୍ଟର ନଂ. ଓଡି୦୧ଭି-୮୫୧୧, ଓଡି୦୧ଏଚ୍‌-୫୮୪୭ ଓ ଅନ୍ୟ ୩ଟି ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକ ରଖିଥିଲେ । ପରେ ବାଲେଶ୍ୱର ଆର୍‌ଟିଓ ଓ ଏମ୍‌ଭିଆଇଙ୍କୁ ଜଣାଇବାରୁ ଟ୍ରାଫିକ୍‌ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର ଓ ସହକାରୀ ଏମ୍‌ଭିଆଇ ଦେବାଶିଷ ମଲ୍ଲିକ ଜଳେଶ୍ୱର ଆସି ଯାନଗୁଡିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି  । ଅନ୍ୟପକ୍ଷରେ ବାଲି ଅଭାବରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଲକ ଅଞ୍ଚଳରେ ସରକାରୀ ଓ ବେସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଥିବାରୁ ଜିଲାପାଳ ବାଲି ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।