୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରୁ ୧୪୦ ଜଣ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣାରେ ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ମଙ୍ଗଳ ଅଧିକାରୀ (DWO) ପାଲକା ରବୀନ୍ଦ୍ରଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ତଦନ୍ତକାରୀ ଦଳ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶରାମ ନାୟକ ଏବଂ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ଚାଉଳ ଗଚ୍ଛିତ ରେଜିଷ୍ଟର ଓ ଉପସ୍ଥାନ ଖାତା ମାଗିଥିଲେ। ମାତ୍ର ସେମାନେ କୌଣସି ସନ୍ତୋଷଜନକ ରେକର୍ଡ ଅଧିକାରୀଙ୍କୁ ପ୍ରଦାନ କରିପାରି ନଥିଲେ। ଅନ୍ତେବାସୀମାନେ ହଷ୍ଟେଲ ଛାଡ଼ିବା ପୂର୍ବ ରାତିର ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ହଷ୍ଟେଲ ରୋଷେୟା ଏବଂ ରାତ୍ରି ଜଗୁଆଳିଙ୍କୁ ପଚରାଉଚରା କରାଯାଇଛି। ଏହି ତଦନ୍ତ ସମୟରେ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ, ଏସଡିପିଓ (SDPO) ଶୁଭେନ୍ଦୁ ଶବର, ଆଇଆଇସି ବିପିନ ବାଘ, ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଉମରସିଂ ନାୟକ ଏବଂ ଡବ୍ଲୁଇଓ (WEO) ଅମିତ୍‌ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ଅଗଷ୍ଟ ୬ ତାରିଖରେ ହଷ୍ଟେଲରେ ଦୀର୍ଘ ଦିନ ଧରି ଦିଆଯାଉଥିବା ଅସାସ୍ଥ୍ୟକର ଖାଦ୍ୟ ଏବଂ ଭିତ୍ତିଭୂମି ଅଭାବରୁ ଅସନ୍ତୋଷ ପ୍ରକାଶ କରି ୧୪୦ ଜଣ ଅନ୍ତେବାସୀ ହାତରେ ବ୍ୟାଗ ଧରି ପ୍ରାୟ ୧୦ କିଲୋମିଟର ଚାଲି ଚାଲି ହଷ୍ଟେଲ ଛାଡ଼ି ପଳାଇଥିଲେ।

ଜିଲା ମଙ୍ଗଳ ଅଧିକାରୀଙ୍କ ସୂଚନା ଅନୁସାରେ, ସମସ୍ତ ବିଷୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ଏବଂ ଅତିଶୀଘ୍ର ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯିବ।

 

Dharitri – Odisha’s No.1 Odia Daily

 

Share